ଦିନ ମଜୁରିଆ ଭାବେ କାମ କରନ୍ତି ବାପା ! ଡିବିରି ଆଲୁଅରେ ପାଠ ପଢି ନିଟ୍ ପରୀକ୍ଷାରେ ସଫଳତା ପାଇଲା ପୁଅ ।

64

ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି । ଯେଉଁଥିରେ ପାଖାପାଖି ୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପାସ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଏମିତି ଅନେକ ଅଛନ୍ତି ଯେଉଁମାନେ ଟପ୍ପର ହୋଇନାହାନ୍ତି ସତ କିନ୍ତୁ ସେମାନଙ୍କ ସଫଳତାର କାହାଣୀ ପ୍ରେରଣାଦାୟକ ଅଟେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜସ୍ଥାନର କୃଷ୍ଣ କୁମାର, ଯିଏ ଏନଇଇଟି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ରାଜସ୍ଥାନର ଧୌଲପୁର ନିବାସୀ କୃଷ୍ଣ କୁମାର ଡାକ୍ତର ହେବା ନେଇ ଆଶା ରଖିଛନ୍ତି । ଯଦି ସେ ଡାକ୍ତର ହେବାରେ ସଫଳ ହେବେ ତେବେ ତାଙ୍କ ଗ୍ରାମ ପଞ୍ଚାୟତରେ ସେ ପ୍ରଥମ ଡାକ୍ତର ଭାବେ ପରିଗଣିତ ହେବେ । ତେବେ କୃଷ୍ଣଙ୍କ ବାପା ଏବଂ ମା ମନରେଗା ମଜଦୁର ଭାବେ କାମ କରନ୍ତି । ଅତ୍ୟନ୍ତ ଦୁଃଖ ଏବଂ କଷ୍ଟରେ ପରିବାର ପ୍ରତିପୋଷଣ ହୋଇଥାଏ ।

ତେବେ ପୁଅର ଏଭଳି ସଫଳତାରେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି କୃଷ୍ଣଙ୍କ ବାପା ମୁନ୍ନା ଲାଲ୍ । ସେ କହିଛନ୍ତି ତାଙ୍କର ଲମ୍ବା ଦିନର ସ୍ୱପ୍ନ ପୂରଣ ହୋଇଛି ଏବଂ ସେ ଅତ୍ୟନ୍ତ ଗର୍ବିତ ଯେ ତାଙ୍କ ପୁଅ ଗାଁର ପ୍ରଥମ ଡାକ୍ତର ହେବାକୁ ଯାଉଛି । ସୂଚନା ଅନୁଯାୟୀ, କୃଷ୍ଣ କୁମାର ଡିବିରି ଆଲୁଅରେ ନିଜ ପାଠ ପଢିବା ସହ ଅନେକ ରାତି ଅତିବାହିତ କରିଛନ୍ତି । ତାଙ୍କ ପାଖରେ ଆଧୁନିକ ଲ୍ୟାମ୍ପ କିଣିବା ପାଇଁ ମଧ୍ୟ ଅର୍ଥ ନଥିଲା । ଏପରିକି ଘର ଠାରୁ ୨୦ କିଲୋମିଟର ଦୂରରେ ଥିବା ଏକ ହିନ୍ଦି ମାଧ୍ୟମିକ ସରକାରୀ ସ୍କୁଲରୁ ସେ ଯୁକ୍ତ ୨ ପାଠପଢା ଶେଷ କରିଛନ୍ତି । ତେବେ ନିକଟରେ ହୋଇଥିବା ନିଟ୍ ପରୀକ୍ଷାରେ ସମଗ୍ର ଭାରତରେ ସେ ୩,୦୯୯ ସ୍ଥାନ ହାସଲ କରିଛନ୍ତି ।