ଏମିତି ବି ଆସେ ମୃତ୍ୟୁ ! ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭର ବ୍ରିଜରୁ ୩୦ ଫୁଟ ତଳକୁ ଖସିପଡିଲେ ବାପା,ପୁଅ । ମଝି ରାସ୍ତାରେ ଚାଲିଗଲା ଦୁଇ ଦୁଇଟି ଜୀବନ ।

1,286

କନକ ବ୍ୟୁରୋ : ବାପା ପୁଅ ଆସୁଥିଲେ ଏସସିବି ମେଡିକାଲ । ହେଲେ ମଝିରାସ୍ତାରେ ଆସିଗଲା ମୃତ୍ୟୁ । ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭର ବ୍ରିଜ ଉପରକୁ ପ୍ରାୟ ୩୦ଫୁଟ ତଳକୁ ଖସିଲେ । ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ । କେବଳ ଏହି ଘଟଣା ନୁହେଁ ଗତ ସପ୍ତାହେ ମଧ୍ୟରେ ରାଜଧାନୀରେ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଯାହା ପୁଣି ଥରେ ରାଜଧାନୀ ରାସ୍ତାରେ ଆପଣ କେତେ ସୁରକ୍ଷିତ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜୀବନ ଚାଲିଗଲା ମଝିରାସ୍ତାରେ । ୩୦ଫୁଟ ତଳକୁ ଖସିଲେ, ଜୀବନ ହାରିଲେ । ମୃତ୍ୟୁ କାହାକୁ କହି ଆସେନାହିଁ । ଆଉ ଯେତେବେଳେ ଆସେ ଏହାକୁ ରୋକି ହୁଏନି । ଇଏ ଏମିତି ଏକ ମୃତ୍ୟୁର କାହାଣୀ, ଯାହା ଶୁଣିଲେ ଆପଣଙ୍କ ରୋମ ବି ଟାଙ୍କୁରି ଉଠିବ । ରାଜଧାନୀର ବ୍ୟସ୍ତବହୁଳ ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଉପରେ ଏକ ସ୍କୁଟିରେ ଯାଉଥିଲେ ବାପା ଗଙ୍ଗାଧର ମହାରଣା ଓ ପୁଅ ଲକ୍ଷ୍ମଣ ମହାରଣା । ହଠାତ ପଛପଟୁ ଆସିଥିଲା ଏକ ଟ୍ରକ । ଟ୍ରକଟି ସ୍କୁଟିକୁ ଓଭରଟେକ କରିବା ସମୟରେ, ଡିଭାଇଡରରେ ପିଟି ହେଲା ସ୍କୁଟି । ଆଉ ବାପ ପୁଅ ବ୍ରିଜ ଉପରୁ ପ୍ରାୟ ୩୦ଫୁଟ ତଳକୁ ଗଳିପଡିଥିଲେ । ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆଉ ଜଣଙ୍କୁ ଘରୋଇ ହସ୍ପିଟାଲ ନେବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

କେବଳ ଏହି ଦୁର୍ଘଟଣା ନୁହେଁ ସପ୍ତାହକ ମଧ୍ୟରେ ରାଜଧାନୀ ରାଜରାସ୍ତାରେ ଗଲାଣି ପାଂଚ ପାଂଚଟି ଜୀବନ । ପ୍ରଶ୍ନ ଉଠୁଛି କଣ ଏପରି ଦୁର୍ଘଟଣାକୁ ରୋକାଯାଇପାରିବ ନାହିଁ । ଗାଡିର ସ୍ପିଡ ଉପରେ ଲାଗିଥିବା କଟକଣା ଠିକ ଭାବେ କାମ କରୁଛି କି ନାହିଁ ।

ଅନ୍ୟ ପକ୍ଷରେ ପୋଲିସ କମିଶନର କହିଛନ୍ତି ଏହି ସବୁ ଦୁର୍ଘଟଣାକୁ ଆଖିଆଗରେ ରଖି ଟ୍ୱିନସିଟିର ନ୍ୟାସନାଲ ହାଇୱେରେ ଚିହ୍ନଟ କରାଯାଉଛି ବ୍ଲାକ୍ ସ୍ପଟ । ଇଂଟର ସେପ୍ଟର ଯୋଗେ ସ୍ପିଡ୍ ଉପରେ କଟକଣା ଲଗାଯାଇ ଫାଇନ୍ ଆଦାୟ କରାଯିବ ଏବଂ ସ୍ପିଡ୍ ବ୍ରେକର ଲଗାଯାଇ ଗାଡିର ବେଗକୁ ନିୟନ୍ତ୍ରଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ନୟାଗଡର ଦଶପଲ୍ଲା ମଧ୍ୟଖଣ୍ଡରୁ ଏହି ବାପା ପୁଅ ଚିକିତ୍ସା ପାଇଁ ଆସୁଥିଲେ କଟକ ଏସସିବି ମେଡିକାଲ । ହେଲେ କିଏ ଜାଣିଥିଲା, ତାଙ୍କ କପାଳରେ ଏପରି ମୃତ୍ୟୁ ଲେଖାଅଛି ବୋଲି ।