ସାଧାସିଧା ମଣିଷଟିଏ ବିଧାୟକଙ୍କ ବାପା … ପୁଅ ଦିଲ୍ଲୀରେ ଆପ୍ ବିଧାୟକ , ଏପଟେ ବାପା ଏବେ ବି ଗ୍ୟାରେଜରେ କରନ୍ତି କାମ ।

256

ଦିଲ୍ଲୀରେ ବହୁମତ ଜନାଦେଶରେ ଆମ ଆଦମୀ ପାର୍ଟୀ ପୁଣି ଥରେ ସରକାରକୁ ଫେରିଛି । ଏହାରି ମଧ୍ୟରେ ପୁଅ ବିଧାୟକ ଥିବାବେଳେ, ବାପା ଆଜିବି ମେକାନିକ ଭାବେ କାର୍ଯ୍ୟ କରୁଥିବା ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଦିଲ୍ଲୀର ଜଙ୍ଗପୁରାରେ ଆପର ଟିକଟରେ ନିର୍ବାଚନରେ ବିଜୟୀ ହୋଇଥିଲେ ପ୍ରବୀଣ କୁମାର ଭଲେ । କିନ୍ତୁ ତାଙ୍କ ପିତା ପି.ଏମ ଦେଶମୁଖ ଭୋପାଳରେ ଏକ ଟାୟାର ରିପ୍ୟାରିଂ ଦୋକାନ ଖୋଲି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ପୁଅର ବିଜୟୀକୁ ନେଇ ଗୌରବାନ୍ୱିତ ମନେ କରନ୍ତି ବାପା ଦେଶମୁଖ ।

ପି.ଏମ ଦେଶମୁଖ କୁହନ୍ତି, ପୁଅ ପ୍ରବୀଣ ତାଙ୍କୁ ସବୁବେଳେ ଦିଲ୍ଲୀ ଆସି ପାଖରେ ରହିବାକୁ କୁହେ । କିନ୍ତୁ ପରିବାରର ମୋହ ପି.ଏମଙ୍କୁ ଭୋପାଳ ଛାଡିବାକୁ ଦିଏନାହିଁ । “ଭୋପାଳର ଏହି ରିପ୍ୟାରିଂ ଦୋକାନର ରୋଜଗାରରେ ମୋ ପିଲାମାନେ ପାଠ ପଢି ଶିକ୍ଷିତ ହୋଇ ନିଜ ଲକ୍ଷ୍ୟ ପୂରଣ କରିଛନ୍ତି । ପିଲାମାନଙ୍କୁ ସଫଳ କରିବାରେ ସହାୟତା କରିଥିବା ଏହି ଦୋକାନକୁ ଭୁଲିବା ମୋ ପକ୍ଷରେ ଅସମ୍ଭବ ।”
ସୂଚନାନୁସାରେ, ପି.ଏମ ଦେଶମୁଖଙ୍କର ଦୁଇଟି ପୁଅ । ସେମାନଙ୍କ ମଧ୍ୟରୁ ପ୍ରବୀଣ ଛୋଟ ଏବଂ ଦିଲ୍ଲୀର ବିଧାୟକ । ପ୍ରବୀଣଙ୍କ ବଡ ଭାଈ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ।

ପ୍ରବୀଣ ମୁଖ୍ୟତଃ ଭୋପାଳରେ ରହିଆସୁଥିଲେ । ଭୋପାଳରେ ହିଁ ସେ ଏମବିଏ ପର୍ଯ୍ୟନ୍ତ ଶିକ୍ଷା ହାସଲ କରିଥିଲେ । ଦୁଇ ଦୁଇ ଥର ଦିଲ୍ଲୀ ନିର୍ବାଚନରେ ବିଜୟୀ ହୋଇଛନ୍ତି ପ୍ରବୀଣ । ୨୦୧୧ ରେ ପ୍ରବୀଣ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କରେ ଆସିଥିଲେ । ୨୦୧୨ ରେ ଅନ୍ନାଙ୍କ ଆନ୍ଦୋଳନ ସମୟରେ ସେ ଦିଲ୍ଲୀରେ ସକ୍ରିୟ ରୂପରେ କ୍ୟାମ୍ପେନ କରିଥିଲେ । ୨୦୧୩ ରେ ପରିବାରର ସହଯୋଗ ଓ ଭରସାରେ ପ୍ରବୀଣ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ବାପା ପି.ଏମ ଦେଶମୁଖ ପୁଅ ପ୍ରବୀଣର କାର୍ଯ୍ୟରେ ଅତନ୍ତ୍ୟ ଗର୍ବିତ । ଏଭଳି ସ୍ଥିତିରେ ଦିଲ୍ଲୀରେ ପ୍ରବୀଣ ଏକ ସାମାନ୍ୟ ପରିବାରରୁ ଆସିଥିଲେ ମଧ୍ୟ ଦିଲ୍ଲୀରେ ଦୁଇ ଦୁଇ ଥର ନିର୍ବାଚନ ଲଢି ବିଜୟୀ ହେବାର ସୁଯୋଗ ମିଳିଛି ।