କଟକ ବସ୍ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ : ୮୦ ବର୍ଷୀୟ ବାପା କହିଲେ,“ମୁଁ ଥାଉ ଥାଉ ଚାଲିଗଲା ପୁଅ”

ବେସାହାର ହୋଇଯାଇଛି ପତ୍ନୀ ଓ ଯୁକ୍ତ ଦୁଇରେ ପଢ଼ୁଥିବା ଏକମାତ୍ର ଝିଅ, ଭାଙ୍ଗି ପଡିଛନ୍ତିି ସୁଶାନ୍ତଙ୍କ ବାପା, ମାଆ ।

1,654

କନକ ବ୍ୟୁରୋ : କଟକ ବସ୍ ଦୁର୍ଘଟଣାରେ ରାଉରକେଲା ଛେଣ୍ଡ କଲୋନୀର ଏଲଆଇସି ଆଡମିନିଷ୍ଟ୍ରେଟର ସୁଶାନ୍ତ କୁମାର ଦାଶଙ୍କର ଜୀବନ ଯାଇଛି । ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗିପଡିଛି ପୁରା ପରିବାର । ବେସାହାର ହୋଇଯାଇଛନ୍ତି ପତ୍ନୀ ଓ ଯୁକ୍ତ ଦୁଇରେ ପଢ଼ୁଥିବା ଏକମାତ୍ର ଝିଅ, ଭାଙ୍ଗି ପଡିଛନ୍ତିି ସୁଶାନ୍ତଙ୍କ ବାପା, ମାଆ । ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ୮୦ବର୍ଷୀୟ ବୃଦ୍ଧ ବାପା ଛଳ ଛଳ ଆଖି ଓ କୋହଭରା କଣ୍ଠରେ କହିଛନ୍ତି ‘ସେ ମୋ କାମ କରିଥାନ୍ତା, କିନ୍ତୁ ମୁଁ ଥାଉ ଥାଉ ପୁଅ ଚାଲିଗଲା’ । ବାପାଙ୍କ କହିବା ଅନୁଯାୟୀ ମାତ୍ର ୬ମାସ ତଳେ ରାଉରକେଲାରୁ ତାଳଚେରକୁ ବଦଳି ହୋଇ ଆସିଥିଲେ ସୁଶାନ୍ତ । କିନ୍ତୁ ପୂର୍ବରୁ ରାଉରକେଲା ଅଫିସରେ କାର୍ଯ୍ୟ କରୁଥିବାରୁ ବାପା, ମା’ ଓ ପରିବାର ସହ ରାଉରକେଲା ଛେଣ୍ଡ କଲୋନୀ ଏଲସିଆର-୫୧୦ରେ ରହୁଥିଲେ ସୁଶାନ୍ତ । ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇଁ ରାଉରକେଲାରୁ କଟକ ଆସିଛନ୍ତି ତାଙ୍କ ପତ୍ନୀ ଓ ଝିଅ ।

ସୂଚନାଯୋଗ୍ୟ, ଜଗତପୁର ପଟୁ ତାଳଚେର ବଲଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଯାତ୍ରୀବାହୀ ବସ୍ ଜଗନ୍ନାଥ । ବ୍ରିଜର ଠିକ୍ ମଝିରେ ବସଟି ଯାଉଥିବାବେଳେ କେହି କିଛି ବୁଝିବା ଆଗରୁ ହଠାତ ପୋଲର ଡାହାଣ ପଟ ବାଡ ଭାଙ୍ଗି ନଦୀ ତଳକୁ ଖସିପଡିଥିଲା ବସ୍ । ବିକଳ ଚିକ୍ରାରରେ ଫାଟି ପଡୁଛି ସମଗ୍ର ଅଂଚଳ । କାନ୍ଦ ବୋବାଳି ସାଙ୍ଗକୁ ଭୟର ବାତାବରଣ । କିଏ କାହାର ସମ୍ପର୍କୀୟକୁ ଡାକ ମାରୁଛି ତ ଆଉ କିଏ ପାଣି ପାଣି ବୋଲି ଚିକ୍ରାର କରୁଛି । ସନ୍ଧ୍ୟାର ଅନ୍ଧାର ଭିତରେ କେତେଜଣଙ୍କ ଜୀବନ ଦୀପ ଲିଭିଯାଇଥିଲା । ଆଉ ଯେଉଁମାନେ ଗୁରୁତର ଭାବେ ଆହତ ହୋଇଥିଲେ ସେମାନେ ଜୀବନ ବଂଚାଇବା ପାଇଁ ବସ୍ ଭିତରୁ ବାହାରିବା ପାଇଁ ଚିକ୍ରାର କରୁଥିଲେ । ହେଲେ ବସ୍ ଏଭଳି ସ୍ଥାନରେ ଖସିଥିଲା ଯେଉଁଠି ହଠାତ୍ କେହି ପହଂଚିବା ସମ୍ଭବ ନଥିଲା । ଦୁଇ ପଟରେ ଥିଲା ପାଣି, ଆଉ ୩୦ ଫୁଟ ଉଚ୍ଚରେ ଥିଲା ପୋଲ । ପୋଲ ଉପରେ ଯାଉଥିବା ଅନ୍ୟ ବାଟୋଇମାନେ ଅଟକି ଦେଖିବା ସହ ସେମାନେ ମଧ୍ୟ ଭୟରେ ଚିକ୍ରାର କରିଥିଲେ । ତାପରେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ସେତେବେଳକୁ ୧୦ଜଣଙ୍କ ଜୀବନ ଅକାଳରେ ଚାଲିଯାଇଥିଲା ।