ପୁଅ ନହେଲେ ଚଳିବ, କିନ୍ତୁ ମତେ ମୋ କୁକୁଡା ଦରକାର ! କୁକୁଡାକୁ ନେଇ ମୁହାଁମୁହିଁ ବାପା-ପୁଅ ।

102

ଏକ କୁକୁଡାକୁ ନେଇ ବାପା ଓ ପୁଅ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଏପରିକି କୁକୁଡାକୁ ନେଇ ବାପା ପୁଅଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପିଜିଛି । ଛତିଶଗଡ ଦୁର୍ଗ ଜିଲ୍ଲାର ଭିଲ୍ଲାଇ ଗାଁ ନିକଟରେ ଥିବା ଥାନାରେ ଏକ କୁକୁଡାକୁ ଅପହରଣ କରିଥିବା ଅଭିଯୋଗ ହୋଇଛି । କୁକୁଡା ଅପହରଣ ମାମଲାରେ ଅଭିଯୋଗକାରୀ ନିଜ ପୁଅକୁ ଦାୟୀ କରି ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ଭିଲ୍ଲାଇର ସେକ୍ଟର-୧ ରେ ବାସ କରୁଥିବା ଛୋଟେଲାଲ ଅଭିଯୋଗ କରି କହିଛି, ମଜହ(କୁକୁଡା) ମୋର ଜୀବନ ଥିଲା, ଏପରିକି ସେ ମୋ ପୁଅ ଠାରୁ ମଧ୍ୟ ଅଧିକ ଥିଲା । ମୁଁ ତାକୁ ବହୁତ ଭଲ ପାଉଥିଲି । ତାକୁ ଦେଖିକରି ମୁଁ ବଞ୍ଚୁଥିଲି । ମୋ ନିଜ ପୁଅ ଶମ୍ଭୁ, କୁକୁଡାକୁ ଅପହରଣ କରି କାଲି ଠାରୁ ଫେରାର ହୋଇଯାଇଛି । ମୋ ପୁଅକୁ ଧରି ଜେଲରେ ପୁରାଇ ଦିଅନ୍ତୁ । ଅଭିଯୋଗପତ୍ରରେ କିଛି ଏପରି ଉଲ୍ଲେଖ କରିଥିଲେ ଛୋଟେଲାଲ ।

ତାଙ୍କ କହିବା ଅନୁସାରେ, ସେ କୁକୁଡାଟିକୁ ଏତେ ଭଲପାଇବା ଦେଇ ବଢାଇଥିଲେ ଯେ, ସେ ମଣିଷର ଭାଷାକୁ ବୁଝିପାରୁଥିଲା । ଛୋଟେଲାଲ ତାଙ୍କ ନିଜ ପୁଅଠାରୁ ମଧ୍ୟ ଅଧିକ ଭଲପାଉଥିଲେ କୁକୁଡାକୁ । କିନ୍ତୁ ତାଙ୍କର ମଦୁଆ ପୁଅ, ଘରୁ ୫ ହଜାର ଟଙ୍କା ନେବା ସହ ଛୋଟେଲାଲଙ୍କ ଜୀବନକୁ ମଧ୍ୟ ନେଇ ଫେରାର ହୋଇଯାଇଛି । ଯେତେବେଳେ ଛୋଟେଲାଲଙ୍କୁ ଏହି ମାମଲା ବିଷୟରେ ଜଣା ପଡିଲା ସେ ପୋଲିସ ଥାନାରେ ତାଙ୍କ ପୁଅ ଶମ୍ଭୁ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିବା ସହ ପୋଲିସଙ୍କୁ କହିଥିଲେ ମୋର ୫ ହଜାର ଟଙ୍କା ଦରକାର ନାହିଁ  କି ମୋର ପୁଅ ଦରକାର ନାହିଁ, ମୋତେ ମୋର କୁକୁଡା ଦରକାର । ଏବେ ପୁଲିସ ଶମ୍ଭୁ ବିରୋଧରେ ଏକ ମାମଲା ରୁଜୁ କରି ଅପହରଣକାରୀକୁ ଖୋଜିବାରେ ଲାଗିପଡିଛି ।