ତେଲେଙ୍ଗାନାରେ ଦଳି ଜ୍ୱାଇଁଙ୍କୁ ନିର୍ମମ ହତ୍ୟା ମାମଲା ଥଣଥଡା ହୋଇଡ଼ି କି ପୁଣି ଆଉ ଏକ ହୃଦୟବିଦାରକ ଘଟଣା ଘଟିଛି । ଦଳିତ ଯୁବକଙ୍କୁ ବିବାହ କରିବାରୁ ବାବ ରାଗରେ ନିଜ ଝିଅର ହାତ କାଟିଦେବା ସହ ଚେହେରାକୁ ମଧ୍ୟ ଆକ୍ରମଣ କରିଛନ୍ତି । ହାଇଦ୍ରାବାଦରେ ଘଟିଛି ଏପରି ଘଟଣା । ସୂଚନା ଅନୁସାରେ ବୁଧବାର ଦିନ ସହରର କେନ୍ଦ୍ରସ୍ଥଳରେ ନିଜର ୨୦ ବର୍ଷୀୟ ଝିଅ ଏବଂ ତା’ର ନବବିବାହିତ ସ୍ୱାମୀଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି । ଆକ୍ରମଣରେ ଝିଅର ବାମ ବାହୁ କଟି ବାହାରି ଯାଇଛି ଏବଂ ହନୁହାଡ଼ ଟୁକୁଡ଼ା ଟୁକୁଡ଼ା ହୋଇଯାଇଛି ।

ବଞ୍ଜାରା ହିଲ୍ସ୍ ପୁଲିସ କହିଛି ଯେ ଅନ୍ୟ ଜାତିରେ ବାହାଘର ଯୋଗୁଁ ଝିଅର ବାପ ବବିବ୍ରତ ହୋଇପଡ଼ିଥିଲେ । ଝିଅଟି (ଓବିସି) ହୋଇଥିବାବେଳେ ତା’ର ୨୨ ବର୍ଷିୟ ସ୍ୱାମୀ ବି ସନ୍ଦୀପ ଜଣେ ଦଳିତ । ସନ୍ଦୀପ ଏବଂ ମାଧବୀ ଚାରିଙ୍କ ମଧ୍ୟରେ ଗତ ୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ଏବଂ ବାପା ୪୨ ବର୍ଷିୟ ମନୋହର ଚାରିଙ୍କର ଦୃଢ଼ ବିରୋଧ ସତ୍ତ୍ୱେ ସେମାନେ ଗୁପ୍ତରେ ସେପ୍ଟେମ୍ବର ୧୨ ତାରିଖ ଦିନ ବାହା ହୋଇପଡ଼ିଥିଲେ । ବୁଝାମଣା କରିବା ଆଳରେ ସ୍ୱାମୀକୁ ସାଙ୍ଗରେ ନେଇ ଆସିବାକୁ ବୁଧବାର ଅପରାହ୍ଣରେ ମନୋହର ଝିଅକୁ ଫୋନ୍ କରି ଡକାଇଥିଲେ ।

ଦୁହେଁ ସାଢ଼େ ତିନିଟା ବେଳେ ଏରାଗଡ୍ଡା ଅଞ୍ଚଳରେ ଥିବା ଗୋକୁଳ ଥିଏଟର୍ରେ ପହଞ୍ଚିଲେ। ମାଧବୀଙ୍କ ବାପା ସେଠାରେ ପହଞ୍ଚି ବ୍ୟାଗ୍ରୁ ଏକ କତା ବାହାର କଲେ । ପୁଲିସ ଉଦ୍ଧାର କରିଥିବା ସିସିଟିଭି ଫୁଟେଜ୍ରେ ଦେଖା ଯାଉଛି କେମିତି ମନୋହର ପ୍ରଥମେ ସନ୍ଦୀପଙ୍କୁ ଆଘାତ କଲେ ଏବଂ ସେ ଖସି ପଳାଇବାରେ ସମର୍ଥ ହେଲେ । ତା’ପରେ ମନୋହର ଝିଅର ବାହୁରେ ପ୍ରଥମେ କତା ଚୋଟ ପକାଇଲେ ଏବଂ ତା’ପର ଚୋଟ ଝିଅର ମୁହଁରେ । ମାଧବୀ ଭୂଇଁରେ ଲୋଟିଗଲା ।

ମନୋହର ପୁଣି ତାଙ୍କ ଝିଅକୁ ହାଣିବାକୁ ଉଦ୍ୟମ କଲାବେଳେ ପଛରୁ ଜଣେ ବ୍ୟକ୍ତି ତାଙ୍କୁ ଗୋଇଠାଏ ମାରିଲେ । ଆଉ ସେ ଜାଗା ଛାଡ଼ି ପଳାଇଲେ । ବଞ୍ଜାରା ହିଲ୍ସ୍ ଏସିପି ବିଜୟ କୁମାର କହନ୍ତି, ମନୋହରଙ୍କ ବିରୋଧରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି । ମାଧବୀର ବେକରେ ଓ ହନୁହାଡ଼ ଧାରରେ ୧୨ ଇଞ୍ଚ୍ର କ୍ଷତଟିଏ ହୋଇଛି । କଟି ଯାଇଥିବା ବାମ ହାତଟି ଚର୍ମରେ ଝୁଲନ୍ତାପ୍ରାୟ ଅବସ୍ଥାରେ ରହିଛି । ତାଙ୍କର ଦଶ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ଅସ୍ତ୍ରୋପଚାର ଚାଲିଥିଲା । ସନ୍ଦୀପ ଅନ୍ୟ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ପାଟି ପାଖରେ ଗଭୀର କ୍ଷତ ହୋଇଥିବାରୁ ୧୦ଟି ଷ୍ଟିଚ୍ ପଡ଼ିଥିବା କଥା ଡାକ୍ତର କହିଛନ୍ତି ।