କୋରାପୁଟ ରାଜନୀତିରେ ଦେଖିବାକୁ ମିଳିପାରେ ହାଇଭୋଲଟେଜ୍ ଡ୍ରାମା! ବାପା-ପୁଅ ମଧ୍ୟରେ ହୋଇପାରେ ଟକ୍କର, ଜୟରାମ ପାଙ୍ଗୀ କହିଲେ ପୁଅ ସହ ଲଢିବାକୁ ପ୍ରସ୍ତୁତ

420

କନକ ବ୍ୟୁରୋ : ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ବାପପୁଅ । ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିପାରେ ପଟାଙ୍ଗୀ ବିଧାନସଭା ଓ କୋରାପୁଟ ସଂସଦୀୟ କ୍ଷେତ୍ର ନିର୍ବାଚନରେ । ବିଜେପି ନେତା ବାପା ଜୟରାମ ପାଙ୍ଗି ଓ ବିଜେଡି ନେତା ପୁଅ ଅଶୋକ ପାଙ୍ଗିଙ୍କ ମଧ୍ୟ ଟକ୍କର ହେବା ସମ୍ଭାବନା ରହିଛି । ଭୋଟ ରାଜନୀତିର ପଶାପାଲିରେ ବାଜିରେ ଲାଗିଛି ବାପ-ପୁଅ ସଂପର୍କ । ଫଳରେ ରୋଚକ ମୋଡ ନେଇଛି କୋରାପୁଟ ରାଜନୀତି ।

ରାଜ୍ୟ ରାଜନୀତି ଏପରି ଉଷୁମ ହୋଇଛି ଯେ ଯେକୌଣସି ସ୍ଥିତିରେ ଲଢ଼େଇ ପାଇଁ ନେତା ପ୍ରସ୍ତୁତି ଚଳାଇଛନ୍ତି । ରାଜନୀତିର ଚକ୍ରବ୍ୟୁହରେ ବାପା-ପୁଅ ସଂପର୍କ ବି ବାଜିରେ ଲାଗିଯାଇଛି । ଏପରି ଏକ ପଲିଟିକାଲ ଡ୍ରାମା ଆଡକୁ ମୁହାଁଉଛି କୋରାପୁଟ ରାଜନୀତି । ବିଜେପି ଟିକେଟରେ କୋରାପୁଟ ସଂସଦୀୟ କ୍ଷେତ୍ର ହେଉ କିମ୍ବା ପଟାଙ୍ଗୀ ବିଧାନସଭା ଆସନରୁ ଲଢ଼ିବାକୁ ଅଂଟା ଭିଡ଼ିଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ । ସେପଟେ ପଟାଙ୍ଗୀ ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଅଛନ୍ତି ପୁଅ ଅଶୋକ ପାଙ୍ଗୀ । ଆଉ ପୁଅ ସହ ଲଢିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଜୟରାମ । ସେହିପରି ବାପାଙ୍କୁ ଟକ୍କର ଦେବା ପାଇଁ ପୁଅ ଅଶୋକ ପାଙ୍ଗୀ ମଧ୍ୟ ତୟାର ।

ସେପଟେ ପଟାଙ୍ଗୀର ବିଧାୟକ ଥିବା ପ୍ରଫୁଲ୍ଲ ପାଙ୍ଗୀ ମଧ୍ୟ ଅନ୍ୟତମ ଟିକେଟ ଆଶାୟୀ ଅଛନ୍ତି । ପ୍ରଫୁଲ୍ଲ ହେଉଛନ୍ତି ଜୟରାମଙ୍କ ପୁତୁରା । ପ୍ରତିଦ୍ୱନ୍ଦିତା ପାଇଁ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ବାପା-ପୁଅ ଓ ପୁତୁରା । ଏହି ଅଂଚଳରେ ପାଙ୍ଗୀ ପରିବାରର ଦବଦବା ରହିଥିବାରୁ ରୋଚକ ହେଉଛି କୋରାପୁଟ ରାଜନୀତି ।