ଚାଷ ପ୍ରେମରେ ଯୁବ ଇଂଜିନିୟର…ଚାକିରି ପଛରେ ନଦୌଡି ଚାଷକୁ ଆପଣାଇଛନ୍ତି ବଲାଙ୍ଗୀରର ମନ୍ମୟ କୁମାର…ଜୈବିକ ପଦ୍ଧତିରେ ଚାଷ କରି ବାର୍ଷିକ କରୁଛନ୍ତି ଲକ୍ଷଲକ୍ଷ ଟଙ୍କାର ଆୟ

630

କନକ ବ୍ୟୁରୋ: ଆଧୁନିକତାର ଚାକଚକ୍ୟ ଓ ଆରାମଦାୟକ ଜୀବନ ବଂଚିବା ପାଇଁ ସହର ମୁହାଁ ଯୁବପିଢି । ପାଠପଢି ଚାକିରୀ ପାଇଁ ମନ ବଳାଉଛନ୍ତି ଉଚ୍ଚଶିକ୍ଷତ ଛାତ୍ରଛାତ୍ରୀ । ହେଲେ ବଲାଙ୍ଗୀରର ଜଣେ ଉଚ୍ଚଶିକ୍ଷିତ ଯୁବକ ଇଂଜିନିୟରିଂ ପଢି ସାରିବା ପରେ ଚାଷକୁ ଆଦରିଛନ୍ତି । ଖାଲି ଆଦରି ନାହାନ୍ତି ଚାଷ କରି ଲାଭବାନ ହେବା ସହ ଆଜିର ସମାଜରେ ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସଫଳ ଯୁବ ଚାଷୀ ମନ୍ମୟ କୁମାର ଦାଶ ।

ଚାରି ଆଡେ ସବୁଜୀମା । ଏକର ଏକର ଜମିରେ ଲାଗିଛି ମକା, କଦଳୀ, ଧାନ ପରି ଅର୍ଥକାରି ଫସଲ । ଆମ୍ବ, ଲିଚୁ, ପିଜୁଳି, ପଣସ ଗଛ ଦେଖିଲେ ପେଟ ପୁରିଯାଉଛି । ଆପଣ ଦେଖୁଛିବା ଏହି ସବୁଜିମା ଭରା ଦୃଶ୍ୟ ବଲାଙ୍ଗୀର ବେଲପଡା ବ୍ଲକ ଦରହ୍ମୁଣ୍ଡା ଗାଁର ମନ୍ମୟ କୁମାର ଦାଶଙ୍କ ଚାଷ ଜମିର । ଆଧୁନୀକ ପ୍ରଣାଳୀରେ ଚାଷ କରି ରାଜ୍ୟରେ ପ୍ରଥମସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ଏହି ମୋଟିଭେସନାଲ ଚାଷୀ । ମନ୍ମୟ ଇଂଜିନିୟରିଂ ପାଠ ପଢି ମଧ୍ୟ ବାପାଙ୍କ ପ୍ରେରଣାରେ ଚାଷ କରୁଛନ୍ତି ।

ପାରମ୍ପାରିକ ପଦ୍ଧତିରେ ଚାଷ ଓ ମନ୍ମୟଙ୍କ ଆଧୁନିକ ପଦ୍ଧତିରେ ଚାଷ ଭିତରେ ଅନେକ ତଫାତ୍ ରହିଛି । ଜୈବିକ ପଦ୍ଧତିରେ ସବୁ ପ୍ରକାର ଚାଷ କରୁଛନ୍ତି । ତେଣୁ ତାଙ୍କ ଫସଲରେ ପୋକ ଲାଗି ନଥାନ୍ତି । ସବୁଠାରୁ ବଡ କଥା ହେଲା ମନ୍ମୟ ଚାଷରୁ ବେଶ ଲାଭବାନ ହେଉଥିବା ବେଳେ ସ୍ଥାନୀୟ ଅଂଚଳର ଶ୍ରମିକଙ୍କ କାମ ଯୋଗାଇ ଦେଇଛନ୍ତି । ବେଲପଡା ବ୍ଲକରୁ ଶ୍ରମିକମାନେ କାମ ନପାଇ ଦାଦନ ଖଟିବା ପାଇଁ ରାଜ୍ୟ ବାହାକୁ ଯାଇଥାନ୍ତି । କିନ୍ତୁ କିଛି ଶ୍ରମିକଙ୍କୁ ଶ୍ରମ ଯୋଗାଇ ଦେବାରେ ସଫଳ ହୋଇଛନ୍ତି ଏହି ଉଚ୍ଚଶିକ୍ଷତ ଯୁବ ଚାଷୀ ।

ଆଗକୁ ଉନ୍ନତ କୃଷୀ ପ୍ରଣାଳୀରେ ଚାଷ କରି ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆଶା ରଖିଛନ୍ତି ସଫଳ ଚାଷୀ ମନ୍ମୟ ଦାସ । ଆଉ ତାଙ୍କର ଏହି କାଯ୍ୟ ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ଗଢି ତୋଳିଛି ।