ସଙ୍କଟରେ କଳାହାଣ୍ଡିର ଚାଷୀ ! ମଣ୍ଡିରେ ଅବ୍ୟବସ୍ଥା, ଘରେ ପଡିରହିଛି ଶତାଧିକ କ୍ୱିଂଟାଲର କପା

50

କନକ ବ୍ୟୁରୋ: ସଙ୍କଟରେ କଳାହାଣ୍ଡି ଜିଲ୍ଲାର କପା ଚାଷୀ । ମଣ୍ଡି ବ୍ୟବସ୍ଥା ଫେଲ ମାରିବା ଯୋଗୁଁ ଉତ୍ପାଦିତ କପାକୁ ବିକ୍ରି କରିପାରି ନାହାନ୍ତି ଚାଷୀ । ସେହିପରି କପା ଚାଷି ପ୍ରଥମେ ସହାୟକ ମୁଲ୍ୟରୁ ଅଧିକ ପାଉଥିବା ବେଳେ ଏବେ ପ୍ରଶାସନର ହୁଗୁଳା ନିତି ଯୋଗୁଁ ଅଭାବି ବିକ୍ରୀର ଶିକାର ହେଉଥିବା ଅଭିଯୋଗ ହୋଇଛି ।

କପା ଫସଲ କରି ବେଶ ଦୁଇ ପଇସା ରୋଜଗାର କରିବା ଆଶା କରିଥିଲା ଚାଷୀ । ହେଲେ ମଣ୍ଡି ବ୍ୟବସ୍ଥା ଠପ୍ ହୋଇଯିବାରୁ ସଙ୍କଟରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲାର କପା ଚାଷୀ । ଧାର କରଜ କରି କପା ଚାଷ କରିଥିଲେ ବି ଏହି ଅର୍ଥକାରୀ ଫସଲକୁ ବିକ୍ରି କରିପାରୁ ନାହାନ୍ତି । ଘରେ ପଡିଛି ଶହଶହ କ୍ୱିଂଟାଲ କପା ତଥାପି ପ୍ରଶାସନର ନିଘା ନାହିଁ । ଏନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ନଶୁଣିବାରୁ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ କପା ଚାଷୀ ମାନେ ସଜବାଜ ହେଉଛନ୍ତି ।

ଜିଲ୍ଲାରେ ୫ ଲକ୍ଷ କ୍ୱିଂଟାଲ କପା ଉତ୍ପାଦନ ହୋଇଛି । ପ୍ରଶାସନର ହୁଗୁଳା ନୀତି ଯୋଗୁଁ ୧ ଲକ୍ଷ କ୍ୱିଂଟାଲ କପା ଅନ୍ୟ ଜିଲ୍ଲାକୁ ଚାଲିଯାଇଛି । ଜିଲ୍ଲାର ବିଭିନ୍ନ କପା କିଣା ସଂସ୍ଥା ପ୍ରାୟ ୧ ଲକ୍ଷ ୭୫ ହଜାର କ୍ୱିଂଟାଲ କପା କିଣିଛନ୍ତି । ଏବେ ଜିଲ୍ଲାର ବିଭିନ୍ନ ଅଂଚଳର ଚାଷୀଙ୍କ ପାଖରେ ରହିଛି ୨ ଲକ୍ଷ ୨୫ ହଜାର କ୍ୱିଂଟାଲ କପା । କପା କିଣିବା ପାଇଁ କପା କିଣା ସଂସ୍ଥା ଧରାଛୁଆଁ ଦେଉନଥିବା ବେଳେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉନାହଁ । ଏନେଇ ଜିଲ୍ଲାପାଳଙ୍କ ଠାରେ ଚାଷୀ ଫେରାଦ ହେବାପରେ କପା ବିକ୍ରି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।