ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କୃଷକଙ୍କ କଡ଼ା ଜବାବ ! ସଢ଼ି ଗଲେ ବି ଶତ୍ରୁ ଦେଶକୁ ଟମାଟୋ ବିକ୍ରି ନକରିବା ପାଇଁ ନିଷ୍ପତ୍ତି

779

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେଶ ୪୦ ବୀରପୁତ୍ରକୁ ହରାଇଛି । ସାରା ଦେଶର ଲୋକ କ୍ରୋଧରେ ଜର୍ଜରିତ ହୋଇଅଛନ୍ତି । ଚାରିଆଡ଼େ ପ୍ରତିଶୋଧର ନିଆଁ । ଦେଶରେ ପାକିସ୍ତାନ ବିରୋଧୀ ନାରା ଜୋର ଧରିଛି । ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କହୁଛନ୍ତି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ପାକିସ୍ତାନକୁ ଉଚିତ ଜବାବ ମିଳିବ ବୋଲି ମୋଦି କହୁଛନ୍ତି । ଦେଶର ବିକାଶଧାରା ବରଂ ପଛରେ ଥାଉ ଯବାନଙ୍କ ପ୍ରାଣବଳି ବ୍ୟର୍ଥ ନଯାଉ ବୋଲି ଦାବି କରୁଛନ୍ତି ଜନତା । ସରକାର ମଧ୍ୟ ଇଟାର ଜବାବ ପଥରରେ ଦେବାପାଇଁ ଲାଗି ପଡ଼ିଛନ୍ତି ।

ତେବେ ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେକଥା ସମୟ କହିବ, ଆମ ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକମାନେ କିନ୍ତୁ ପାକିସ୍ତାନକୁ ପାନେ ଚଖାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର କୃଷକମାନେ ଜୟ ଜବାନ ଜୟ କିଷାନ ନାରା ଦେଇ ପାକିସ୍ତାନକୁ କଡ଼ା ଯବାବ ଦେଇଛନ୍ତି । ଜିଲ୍ଲାର କୃଷକମାନେ ପାକିସ୍ତାନକୁ ଟମାଟୋ ପଠାଇବା ପାଇଁ ମନା କରିଦେଇଛନ୍ତି । ତେବେ ଏହି ନିଷ୍ପତ୍ତିି ପରେ କୃଷକମାନଙ୍କୁ ଅନେକ କ୍ଷତି ସହିବା ପାଇଁ ପଡ଼ିବ । ଏହାସତ୍ୱେ ଦେଶ ପାଇଁ କ୍ଷତି ସହିବା ପାଇଁ ପ୍ରସ୍ତୁତ କୃଷକ ।

ଝାବୁଆ ଜିଲ୍ଲାରେ ପେଟଲାବଦରେ ରପ୍ତାନୀ ହେଉଥିବା ଟମାଟୋ ଚାଷ କରାଯାଏ । ପାକିସ୍ତାନରେ ଝାବୁଆ ଜିଲ୍ଲା ଟମାଟୋର ଚାହିଦା ରହିଛି । ଆଉ ପେଟଲାବଦର କୃଷକମାନେ ଟମାଟୋ ଚାଷ ଉପରେ ପୁରାପୁରି ନିର୍ଭରଶୀଳ । ହେଲେ କୃଷକମାନେ ଏବେ ଲାଭ ନଦେଖି ପାକିସ୍ତାନକୁ ଟମାଟୋ ପଠାଇବା ପାଇଁ ମନାକରିଦେଇଛନ୍ତି । ଦେଶଭକ୍ତିକୁ ଅଧିକ ମହତ୍ୱ ଦେଇଛନ୍ତି ପେଟଲାବଦ କୃଷକ । ସ୍ଥାନୀୟ ବଜାରରେ ଟମାଟୋ ବିକ୍ରୀ କଲେ ସେମାନଙ୍କୁ ୧୦ଟଙ୍କା ମିଳେ କିନ୍ତୁ ପାକିସ୍ତାନକୁ ରପ୍ତାନୀ କରିବା ଦ୍ୱାରା ସେମାନଙ୍କୁ କିଲୋ ପ୍ରତି ୪୦ ଟଙ୍କା ମିଳେ । କୃଷକମାନେ କ୍ଷତି ସହିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ପାକିସ୍ତାନକୁ ଟମାଟୋ ଦେବାକୁ ପ୍ରସ୍ତୁତ ନାହାଁନ୍ତି ।