ନେତାଙ୍କୁ ଗାଁରେ ପୂରାଇ ଦେବୁ ନାହିଁ !

ଅନ୍ନଦାତାଙ୍କ ଶକ୍ତିକୁ ଆକଳନ କରିପାରିଲାନି ପ୍ରଶାସନ । ରାଜଧାନୀକୁ ଚାରିପଟୁ ଘେରିଗଲେ ହଜାର ହଜାର ଚାଷୀ

405

କନକ ବ୍ୟୁରୋ : ରାଜଧାନୀରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ । ପ୍ରାଇସ୍, ପ୍ରେସଷ୍ଟିଜ୍ ଓ ପେନସନ୍ ଦାବିରେ ଆଜି ଭୁବନେଶ୍ୱରରେ ବିଶାଳ ପ୍ରତିବାଦ କରିଛନ୍ତି ଚାଷୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଚାଷୀ ଏକାଥରକେ ମାଡ଼ି ଆସିବାରୁ ଏମାନଙ୍କୁ ପୁଲିସ୍ ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଛି । ରାଜଧାନୀ ଭିତରକୁ ପ୍ରବେଶ ଉପରେ ପ୍ରଶାସନ କଟକଣା ଲଗାଇଥିବାରୁ ରାଜରାସ୍ତାରେ ପୁଲିସ୍-ଚାଷୀ ମୁହାଁମୁହିଁ ହୋଇଛନ୍ତି । ଏପଟେ ଚାଷୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି, ଚାଷୀଙ୍କ ଦାବି ଓ ସ୍ୱାର୍ଥ ଉପରେ ବିଚାର କରି ସରକାରଙ୍କୁ ସୁପାରିସ କରିବ । ବଡ କଥା ହେଉଛି ସଂଗଠିତ ଭାବେ ଏତେ ବଡ ଚାଷୀ ଆନ୍ଦୋଳନ ହୁଏତ ପୂର୍ବରୁ କେବେ ଦେଖାଯାଇନଥିଲା ।

ଇଏ କୌଣସି ରାଜନୈତିକ ଦଳର ଆନ୍ଦୋଳନ ନଥିଲା । କିମ୍ବା ଗାଡ଼ିରେ ଲୋକ ବୁହା ହୋଇ ଭୁବନେଶ୍ୱର ଆସିନଥିଲେ । ନିଜର ହକ୍୍ ପାଇଁ ଦୀର୍ଘ ୭ ଦିନର ପଦଯାତ୍ର ପରେ ରାଜଧାନୀରେ ପହଂଚିଥିଲେ ହଜାର ହଜାର ଚାଷୀ । ପ୍ରାଇସ୍, ପ୍ରେସଷ୍ଟିଜ୍ ଓ ପେନସନ୍ ଦାବି ନେଇ ଘେରିଯାଇଥିଲେ ରାଜଧାନୀକୁ । ହଂସପାଳ ଏବଂ ତମାଣ୍ଡୋପଟୁ ମାଡ଼ି ଆସିଲେ ହଜାର ହଜାର ଚାଷୀ । ଆଉ ଯେତେବେଳେ ପୁଲିସ୍ ଏମାନଙ୍କ ବାଟ ଓଗାଳିଲା, ସ୍ଥିତି ଅସମ୍ଭାଳ ହୋଇଯାଇଥିଲା ।

ପୁଲିସ୍ ପ୍ରଶାସନର ଉପସ୍ଥିତିରେ ୧୪୪ ଧାରା ଓ ପୁଲିସ୍ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ଧସେଇ ପଶି ଆସିଲା ଚାଷୀଙ୍କ ଭିଡ । କାହାରିକୁ ଖାତିର ନକରି ଆଗକୁ ବଢ଼ି ଚାଲିଲା ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା । ଆଉ ଯେତେବେଳେ ପୁଲିସ୍ ଅଟକାଇବାକୁ ଉଦ୍ୟମ କରିଥିଲା ଆରମ୍ଭ ହୋଇଗଲା ଖଣ୍ଡଯୁଦ୍ଧ । ମୁହାଁମୁହିଁ ହେଲେ ପୁଲିସ୍-ଚାଷୀ । ହୁଏତ ଏତେ ବଡ଼ ଆନ୍ଦୋଳନ ହେବ ବୋଲି ଆକଳନ ବି କରିନଥିଲା ପ୍ରଶାସନ । ଚାଷୀଙ୍କ ଶକ୍ତି ଦେଖି ତାଜୁବ୍ ହୋଇଯାଇଥିଲେ ସମସ୍ତେ । ରାଜଧାନୀ ଭିତରକୁ ପ୍ରବେଶ ନେଇ କଟକଣା ଜାରି କରିଥିବା ପ୍ରଶାସନ ଗତକାଲି ତମାଣ୍ଡୋଠାରେ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନଙ୍କୁ ଅଟକ ରଖାଯାଇଥିଲା । ହେଲେ ଆଜି ଉଭୟ ଖୋର୍ଦ୍ଧା ଓ କଟକ ପଟୁ ଘେରି ଯାଇଥିଲେ ଚାଷୀ । ଚାଷୀଙ୍କୁ ରାଜଧାନୀ ଭିତରକୁ ପଶିବାକୁ ନ ଦେବାର ଜବାବରେ ନବ ନିର୍ମାଣ କୃଷକ ସଂଗଠନ କହିଛି-ନେତାଙ୍କୁ ଗାଁକୁ ପଶିବାକୁ ଦିଆଯିବ ନାହିଁ ।

ଏପଟେ ଚାଷୀ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ କୃଷି ଏବଂ ସମବାୟ ମନ୍ତ୍ରୀ ସଦସ୍ୟ ଅଛନ୍ତି । ଏହି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଚାଷୀଙ୍କ ଦାବି ଓ ସ୍ୱାର୍ଥ ଉପରେ ବିଚାର କରି ସରକାରଙ୍କୁ ସୁପାରିସ କରିବ । ଏପଟେ ଚାଷୀଙ୍କ ଆନ୍ଦୋଳନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଚାଷୀ କିମ୍ବା ଚାଷୀ ପରିବାର ସହ ଜଡ଼ିତ ଥିବାରୁ ଏମାନଙ୍କ ଆନ୍ଦୋଳନ ରାଜ୍ୟ ସରକାରଙ୍କୁ ଦୋହଲାଇ ଦେଇଛି । ଅନ୍ୟପଟେ ମୌକା ଦେଖି ବିରୋଧୀ ବି ରାଜନୀତିର ଖେଳ ଖେଳିବାକୁ ପଛାଇ ନାହାଁନ୍ତି । କାରଣ, ୨୦୧୯ ପୂର୍ବରୁ ଏତେ ବଡ ଭୋଟ୍ ବ୍ୟାଙ୍କକୁ ନିଜ ସପକ୍ଷରେ ନେବା ପାଇଁ କିଏ ବା କାହିଁକି ପଛରେ ରହିବ ।