ତିତଲି ପ୍ରଭାବରେ ହୋଇଥିବା ବର୍ଷା ଏବେ ଚାଷୀଙ୍କ ପାଇଁ କାଳ ! ବର୍ଷାପାଣିରେ ବୁଡ଼ି ରହିଛି ହଜାର ହଜାର ଚାଷୀଙ୍କ ଜମି

31

କନକ ବ୍ୟୁରୋ : ତିତ୍‌ଲି ପ୍ରଭାବରେ ଗତ ଗୁରୁବାର ହୋଇଥିବା ଲଗାଣ ବର୍ଷା ଏବେ ବାଲିପାଟଣା ଅଞ୍ଚଳର ଚାଷୀଙ୍କ ନିଦ ହଜେଇ ଦେଇଛି । ୧୪୫.୪ ମିମି ବର୍ଷା ହୋଇଥିବାରୁ ବାଲିପାଟଣା ବ୍ଲକର କୁରୁଞ୍ଜିପୁର, ପମ୍ପାଲୋ, ରାଜସ ଆଦି ପଞ୍ଚାୟତର ହଜାର ହଜାର ଚାଷୀଙ୍କ ଧାନ ଗଛ ଏବେ ବର୍ଷା ଜଳରେ ବୁଡ଼ି ରହିଛି । କୁରୁଞ୍ଜିପୁର ପଞ୍ଚାୟତର ଅନ୍ଧୋଟି, ଦଳକଷୋଟି, ସାନମାଛପୁର, ଇନ୍ଦୋଳକୁସିଆରୀ, ପମ୍ପାଲୋ, ଟିକିପଡ଼ି, ଦରଡ଼ା ଏବଂ ରାଜସ ପପଞ୍ଚାୟତର ଗରିଆ ଆଦି ଅଞ୍ଚଳର ଚାଷଜମି ଏବେ ବି ପାଣି ଘେରରେ ରହିଛି । ସେହିପରି କୁରୁଞ୍ଜିପୁର ପଞ୍ଚାୟତର ଘାସି ଆନ୍ଧୋଟି, ଦଳ କଷୋଟି ଓ ସାନମାଛପୁରର କ୍ଷେତରେ ଏବେ ବର୍ଷା ଜଳ ଅଣ୍ଟେ ଉଚ୍ଚରେ ଜମି ରହିଛି । ତିନିଦିନ ତଳୁ ବର୍ଷା ଛାଡ଼ିଥିଲେ ବି କ୍ଷେତରୁ ପାଣି ଛାଡ଼ୁ ନାହିଁ ।

ନିମାପଡ଼ା ନିକଟରେ ଏକ ଡ୍ରେନର ସାଇଫନ ବନ୍ଦ ହେବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା କେତେକ ଚାଷୀ କହିଛନ୍ତି । ଗତ ଲଘୁଚାପ ଜନିତ ବର୍ଷାରେ ଏହି ଅଞ୍ଚଳର ଶତକଡ଼ା ୪୮ ପ୍ରତିଶତ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା କ୍ଷୟକ୍ଷତି ଆକଳନ ରିପୋର୍ଟ ସରକାରୀ ସ୍ତରରେ ପ୍ରସ୍ତୁତ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଏହି ସହାୟତା ମିଳିପାରି ନାହିଁ । ତେବେ ପ୍ରଶାସନ ଓ ଡ୍ରେନେଜ୍‌ ବିଭାଗ ବର୍ଷା ଜଳ ନିଷ୍କାସନ କରେଇବା ସହ କ୍ଷତିପୂରଣ ଦେବାକୁ ଚାଷୀମା‌େନ ଦାବି କରିଛନ୍ତି ।