ଧାନ ମଣ୍ଡିରେ କଟନୀ ଛଟନୀକୁ ନେଇ ଅସନ୍ତୋଷ ! ଗାଡି ପିଛା ବି ଟଙ୍କା ନେଉଛନ୍ତି ମିଲର୍ସ, ଆନ୍ଦୋଳନ ନେଇ ନବ ନିର୍ମାଣ କୃଷକ ସଂଗଠନର ଚେତାବନୀ ।

93

କନକ ବ୍ୟୁରୋ : ଜାନୁଆରୀ ପହିଲାରୁ ଜଗତସିଂହପୁର ଜିଲ୍ଲାରେ ମଣ୍ଡିରେ ଧାନ କିଣା ଚାଲିଛି । ମଣ୍ଡିରୁ ବିଭିନ୍ନ ସେବା ସମବାୟ ସମିତି ଜରିଆରେ ମିଲରମାନେ ଧାନ କିଣୁଛନ୍ତି । ହେଲେ ଚାଷୀଙ୍କ ଠାରୁ କୁଇଂଟାଲ ପିଛା ୨ରୁ ୩ କେଜି ଧାନ କଟନୀ ଛଟନୀ କରୁଛନ୍ତି ମିଲର । ଏହାସହ କଂଟା ଓଜନ ଏବଂ ଗାଡି ଲୋଡିଂ ବାବଦକୁ ଚାଷୀଙ୍କ ଠାରୁ ୧୦ ଟଙ୍କା ଲେଖାଁଏ ନେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏନେଇ କୌଣସି ଅଭିଯୋଗ ପାଇନଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।

ଗତ ଜାନୁଆରୀ ପ୍ରଥମ ସପ୍ତହରୁ ଜଗତସିଂହପୁର ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାର ୮ଟି ବ୍ଲକରେ ୧୦୩ଟି ମଣ୍ଡି ଖୋଲା ଯାଇଥିବା ବେଳେ ସମବାୟ ସମିତି ଜରିଆରେ ମିଲରମାନେ ଧାନ କିଣୁଛନ୍ତି । ପଞ୍ଜିକୃତ •ଷୀମାନେ ମଣ୍ଡିରେ ଧାନ ଦେଉଥିବା ବେଳେ କୁଇଂଟାଲ ପିଛା ୨ରୁ ୩କେଜି କଟନୀ ଛଟନୀ କରାଯାଉଛି । କେବଳ ଏତିକି ନୁହେଁ ଗାଡିରେ ଧାନ ବସ୍ତା ଲୋଡିଂ ପାଇଁ ବସ୍ତା ପିଛା ୧୦ ଟଙ୍କା ଲେଖାଁଏ ନିଆଯାଉଛି ଅଭିଯୋଗ ହୋଇଛି । ଏହା ସରକାରୀ ନିୟମ ବିରୁଦ୍ଧ ହୋଇଥିଲେ ସୁଦ୍ଧା ମିଲର ଓ ସେବା ସମବାୟ ସମିତିର ଅଧିକାରୀଙ୍କ ମଧ୍ୟରେ ସଲା ସୁତୁରା ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଛନ୍ତି ।

୨୦୧୮-୧୯ ଖରିଫ ବର୍ଷ ପାଇଁ ଜଗତସିଂହପୁର ଜିଲ୍ଲାରୁ ୭ ଲକ୍ଷ ୪୪ ହଜାର କୁଇଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଏବେ ସୁଦ୍ଧା ୪ ଲକ୍ଷ ୩୫ ହଜାର କୁଇଂଟାଲ ଧାନ କିଣି ସାରିଛନ୍ତି ମିଲର । ଜିଲ୍ଲାର ୮ଟି ବ୍ଲକରେ ୧୦୩ଟି ମଣ୍ଡିରେ ୨୯ ଜଣ ମିଲର ଧାନ କିଣୁଛନ୍ତି ।

ମଣ୍ଡିରେ ଚାଷୀ ଅସନ୍ତୋଷକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଛି । ଖୁବଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ •ଷୀ ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି । ସେପଟେ ମଣ୍ଡିରେ କଟନୀ ଛଟନୀ କି ଟଙ୍କା ମାଗିବା ନେଇ କୌଣସି ଅଭିଯୋଗ ଆସିନଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ଜଗତସିଂହପୁର ଜିଲ୍ଲାରେ ଗୋଟିଏ ମିଲର ରହିଥିବା ବେଳେ ବାହାର ଜିଲ୍ଲାରୁ ମିଲରମାନେ ଧାନ କିଣୁଛନ୍ତି ।