ଟୋକନ ସମସ୍ୟାକୁ ନେଇ ମଣ୍ଡିରୁ ଉଠୁନି ଧାନ । ରାଜ୍ୟର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ରାସ୍ତା ଉପରେ ଧାନ ବସ୍ତା ରଖି ମାଲକାନଗଗିରି, ଧର୍ମଗଡ, କୋକସରା ,ବଣେଇ, କୁଚିଣ୍ଡାରେ ପ୍ରତିବାଦ

173

କନକ ବ୍ୟୁରୋ:  ମଣ୍ଡିରୁ ଉଠୁନି ଧାନ, ରାସ୍ତାରେ ଚାଷୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି ଆସିଛି ଏଭଳି ଖବର । ମାଲକାନଗିରିରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ପ୍ରତିବାଦ କରିଛନ୍ତି ବହୁ ସଂଖ୍ୟାରେ ଚାଷୀ । ମାସ ମାସ ଧରି ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଧାନବସ୍ତା ରଖି ଆନ୍ଦୋଳନ କରିଛନ୍ତି । ସେହିପରି ମାଲକାନଗିରି, ଧର୍ମଗଡ, କୋକସରା, କୁଚିଣ୍ଡା ଓ ବଣେଇ ଅଂଚଳର ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି ଚାଷୀ ।

ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ । ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଲ୍ୟାମ୍ପ୍ସ ଅଧିନରେ ଥିବା ତିନୋଟି ଧାନ ମଣ୍ଡିର ଚାଷୀ ମାନେ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି । ପ୍ରାୟ ମାସେ ହେଲା ନରେନ୍ଦ୍ର, ଭାଲୁଡ଼ୁଙ୍ଗୁରୀ ଓ ବନୈକଳା ଧାନମଣ୍ଡିରେ ଧାନ କିଣା ବନ୍ଦ ରହିଛି । ୩୩୬ଜଣ ପଂଜିକୃତ ଚାଷୀଙ୍କ ନିକଟରେ ହଜାର ହଜାର ବସ୍ତା ଧାନ ବସ୍ତା ପଡ଼ିରହିଥିବା ବେଳେ ଚାଷୀଙ୍କୁ ମିଳୁନି ଟୋକନ୍ । ଫଳରେ ଚାଷୀ ମାନେ ଚିନ୍ତିତ ଅବସ୍ଥାରେ ଅଛନ୍ତି । ସେପଟେ ସରକାରୀ ଦରରେ ଧାନ ବିକ୍ରି ହେଉନଥିବାରୁ ଚାଷୀମାନେ କ୍ଷତିରେ ପଡ଼ିବେ ବୋଲି କୁହାଯାଉଛି । ଏନେଇ ବାରମ୍ବାର ସମବାୟ, ଯୋଗାଣ ଏବଂ ବଣାଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ଯୋଗାଣ ବିଭାଗର ଟୋକନ ବ୍ୟବସ୍ଥାରେ ଅବ୍ୟବସ୍ଥା ପାଇଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।

ସେପଟେ ଯୋଗାଣ ବିଭାଗର ଦୋମୁହାଁ ନୀତି ଏବଂ ଟୋକନ ବ୍ୟବସ୍ଥାରେ କଟନୀ ଛଟନୀ ଯୋଗୁଁ ମଣ୍ଡିରୁ ଉଠିପାରୁନି ଧାନ । ତେବେ ଧାନ ଉଠାଣରେ ବିଳମ୍ବ ହେଉଥିବାରୁ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । କଳାହାଣ୍ଡି କୋକସରା ବ୍ଲକ ଆମପାଣୀ ଜାତୀୟ ରାଜପଥ ଉପରେ ଶତାଧିକ ଚାଷୀ ଧାରଣା ଦେଇଛନ୍ତି । ବିଜେପି କୃଷକ ମୋର୍ଚ୍ଚା ନେତା ସୁଧିର ରଂଜନ ପାଟଯୋଶୀଙ୍କ ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମଣ୍ଡିରେ ଧାନ ପଡ଼ିରହିବା ସହ, ଏହା ବିକ୍ରି ହୋଇପାରୁନାହିଁ । ଧାନ ଉଠାଣରେ ବିଳମ୍ବ ଯୋଗୁଁ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲଇଛନ୍ତି । ଜାତୀୟ ରାଜପଥ ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । କୌଣସି ଅପ୍ରିତିକର ପରିସ୍ଥିିତିକୁ ଏଡ଼ାଇବା ପାଇଁ ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ମାନେ ପହଂଚି ଏହାର ତଦାରଖ କରିଛନ୍ତି ।