କାଳିଆ ଯୋଜନାରୁ ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ । ପଂଚାୟତ ସ୍ତରରେ ପ୍ରକାଶ ପାଇଲା ବିଜ୍ଞପ୍ତି । ଅଗଷ୍ଟ ୬ରୁ ୧୪ ଯାଏଁ ଯାଞ୍ଚ କରାଯିବ ତାଲିକା

‘କାଳିଆ’ ଟଙ୍କା ଫେରିବା ନେଇ କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା

1,012

କନକ ବ୍ୟୁରୋ: କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ  ଟଙ୍କା ଫେରାଇ ଅଣାଯିବ । ଖୁବ ଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କର ତାଲିକା ଯାଞ୍ଚ ହେବ । ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ । କାଳିଆ ଯୋଜନାରେ ସଂପୂର୍ଣ୍ଣ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କୃଷି ସଚିବ ସୌରଭ ଗର୍ଗ ।

ଗର୍ଗ କହିଛନ୍ତି, ଯେଉଁମାନେ ବି ହିତାଧିକାରୀ କାଳିଆ ଟଙ୍କା ପାଇଛନ୍ତି , ସେମାନଙ୍କର ତାଲିକାକୁ ଟ୍ରାନ୍ସଫରେନ୍ସି ମ୍ୟାନରରେ ଜଣାଇବା ପାଇଁ ବ୍ୟବସ୍ଥା କରାଯାଉଛି । ସେହି ଅନୁସାରେ ଆମର ଯେଉଁ ୱେବସଇଟ ରହିଛି ସେଥିରେ କାଳିଆ ଯୋଜନାରେ ଉପକୃତ ହୋଇଥିବା ସମସ୍ତ ୫୧ ଲକ୍ଷ ହିତାଧିକାରୀଙ୍କ ନାଁ ଛଡାଯାଇଛି । ଏଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ଅଛନ୍ତି  ଆଉ ଏହି ତାଲିକାକୁ ଆଜି ପ୍ରତି ଗ୍ରାମ ପଂଚାୟତରେ କାନ୍ଥରେ ଛପାଯାଇଛି ।  ତେବେ ଏହାର ଲକ୍ଷ୍ୟ ହେଲା ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରୁ ବାଦ୍ ଦେବା ଆଉ ଯୋଗ୍ୟ ହିତାଧିକାରୀ ତଥା କୌଣସି ବି ଯୋଗ୍ୟ ଚାଷୀ ଯେଭଳି କାଳିଆ ସହାୟତାରୁ ବଂଚିତ ନହେବେ ।

ତେବେ ଏହି ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ପାଇଁ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ଯୋଜନାରୁ ବାଦ୍ ଦେବା ପାଇଁ ପ୍ରତିଟି ଗ୍ରାମ ପଂଚାୟତ ସ୍ତରରେ , ବ୍ଲକ ସ୍ତରରେ ଏବଂ ଜିଲ୍ଲା ସ୍ତରରେ  କମିଟି ଗଠନ କରାଯାଇଛି । ସେହିଭଳି ସରକାରଙ୍କ ପକ୍ଷରୁ ବି ଅଯୋଗ୍ୟ ହିତାଧିକାରୀଙ୍କୁ ଅନୁରୋଧ କରାଯାଉଛି କି, ଯେଉଁମାନେ ଅଯୋଗ୍ୟ ଅଛନ୍ତି ସେମାନେ ନିଜେ ନିଜର ନାଁ କାଳିଆ ଯୋଜନାରୁ ବାଦ୍ ଦେବା ପାଇଁ ଦରଖାସ୍ତ ଦେଇପାରିବେ । ଅନ୍ୟ ଲୋକମାନେ ବି  ଅଯୋଗ୍ୟ ହିତାଧିକାରୀଙ୍କ ସଂପର୍କରେ ତଥ୍ୟ ଦେଇପାରିବେ । ତେବେ ଆମ ପାଖରେ ଥିବା ତଥ୍ୟ ଅନୁସାରେ, ଆମେ ଯୋଗ୍ୟ ଅଯୋଗ୍ୟ ବିବେଚନା କରିବୁ । କିଏ କହିଲେ ହେବ ନାହିଁ । ଯାଂଚ ପରେ ହିଁ ତାଲିକା ପ୍ରକାଶ କରାଯିବ ବୋଲି କହିଛନ୍ତି କୃଷି ସଚିବ ସୌରଭ ଗର୍ଗ ।

ଉଲ୍ଲେଖ ଥାଉ କି, କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଜୁଲାଇ ୨୮ ତାରିଖରେ ଖୋଦ୍ ବିଜେଡି ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି । କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି ବୋଲି ବିଧାନସଭାରେ ସଦସ୍ୟମାନେ କହିଥିଲେ ।