ବନ୍ଦ କରନାହିଁ ‘କାଳିଆ’ ଟଙ୍କା । ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ କୃଷକ ସଙ୍ଗଠନ, କହିଲେ, ଚାଷୀଙ୍କ ସମସ୍ୟା ବହୁଳ ଜୀବନରେ ଆଶା ସଞ୍ଚାର କରିଥିଲା କାଳିଆ ଯୋଜନା

729

କନକ ବ୍ୟୁରୋ : ନିର୍ବାଚନ ପାଇଁ କାଳିଆ ଟଙ୍କା ବନ୍ଦ ହେବାକୁ ନେଇ ତାତିଛନ୍ତି ଚାଷୀ । ଗୋଟିଏ ପଟେ କାଳିଆ ଟଙ୍କା ବନ୍ଦ ନ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ପୂର୍ବରୁ ବିଜେଡି ଫେରାଦ ହୋଇଥିବା ବେଳେ ଏବେ ଚାଷୀ ମଧ୍ୟ ସମାନ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଦର୍ଶ ଆଚରଣବିଧି ନାଁରେ କାଳିଆ ଟଙ୍କାଙ୍କୁ ଯେଉଁଭଳି ଭାବେ ବନ୍ଦ କରି ଦିଆଯାଇଛି ତାହା ଦ୍ୱାରା ଚାଷୀ ପରିବାର ମାନେ ପ୍ରଭାବିତ ହେଉଥିବା ଦର୍ଶାଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ବରଗଡ ଜିଲ୍ଲାର ଚାଷୀ ସଙ୍ଗଠନ ସମନ୍ୱୟ ସମିତିର ସଦସ୍ୟ ।

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ଏବେ ତାତିଛନ୍ତି ଚାଷୀ । କାଳିଆ ଟଙ୍କାଙ୍କୁ ବନ୍ଦ କରାଯିବା ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛନ୍ତି ଚାଷୀ । କାଳିଆ ଯୋଜନାରେ ଟଙ୍କା ମିଳିଥିଲେ ଅନେକ ସମସ୍ୟା ଦୂର ହୋଇପାରିଥାନ୍ତା । କାରଣ ଏହି ମାସ ପିଲା ଛୁଆଙ୍କ ନାମ ଲେଖାଠାରୁ ଆରମ୍ଭ କରି ଆଗାମୀ ଚାଷ ଆରମ୍ଭର ପ୍ରସ୍ତୁତି ସମୟ । ଏହି ସମୟରେ ଚାଷୀଙ୍କୁ ନିହାତି ଭାବେ ଅର୍ଥର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ ସରକାରଙ୍କ ଏହି କାଳିଆ ଯୋଜନାକୁ ନିର୍ବାଚନ ଆଚରଣ ବିଧି ନାଁରେ ବନ୍ଦ କରି ରଖାଯିବା ସହ ଚାଷୀଙ୍କୁ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ କରି ରଖାଯାଇଛି । ଯାହାଦ୍ୱାରା ଚାଷୀଙ୍କ ସମସ୍ୟା ଅଧିକ ବଢିଯାଇଛି ।


ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଚାଲୁ ରହିଥିବା କାଳିଆ ଯୋଜନାରେ ମିଳୁଥିବା ଟଙ୍କା କିଭଳି ବନ୍ଦ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ । ତେଣୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଭଳି କାଳିଆ ଯୋଜନାରେ ତୁରନ୍ତ ସମସ୍ତ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଚାଷୀ ।

ଏହାଛଡା ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ନଷ୍ଟ ହୋଇଥିବା ଫସଲ ବାବଦକୁ ମିଳିବାକୁ ଥିବା ଅର୍ଥ ମଧ୍ୟ ଏନଆଇସି କମ୍ପାନି ଉେଦ୍ଦେଶ୍ୟମୂଳକ ଭାବେ ପ୍ରଦାନ କରୁନାହିଁ । ଗୋଟିଏ ପଟେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇ ସାରିଥିବା ବେଳେ କେନ୍ଦ୍ର ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଉନାହାନ୍ତି । ତେଣୁ ଆସନ୍ତା ୭ ଦିନ ମଧ୍ୟରେ ଚାଷୀଙ୍କୁ ଅର୍ଥ ଦେବାକୁ କେନ୍ଦ୍ର ସରକାର ଏନଆଇସିକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିର୍ବାଚନ କମିଶନଙ୍କ ମାଧ୍ୟମରେ ଜଣାଇଛନ୍ତି ଚାଷୀ । ଆଚରଣବିଧି ନାଁରେ ଚାଷୀଙ୍କୁ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ କରି ରଖାନଯାଉ ବୋଲି ଦାବି କରିଛନ୍ତି ଚାଷୀ ।