ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଅନ୍ନଦାତା । ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ପେଷି ହେଉଛନ୍ତି ଚାଷୀ ।

ରାତି ଉଜାଗର ହୋଇ ଶୀତ କାକରରେ ମଣ୍ଡିରେ ଧାନ ଜଗିଛନ୍ତି ଚାଷୀ

84

କନକ ବ୍ୟୁରୋ: ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ । ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ପେଷି ହେଉଛନ୍ତି ଚାଷୀ । ମଣ୍ଡିକୁ ଧାନ ବିକ୍ରି କରିବାକୁ ଆଣି ମଣ୍ଡିରେ ଜଗୁଆଳୀ ସାଜିଛନ୍ତି ଚାଷୀ । ଏପ୍ରିଲ ସୁଦ୍ଧା ଧାନ କିଣା ସାରିବାକୁ ସରକାର ଟାର୍ଗେଟ ରଖିଥିବା ବେଳେ ଶୀତ କାକର ରାତିରେ ମଣ୍ଡିରେ ଧାନ ବସ୍ତା ଜଗିଛନ୍ତି ଚାଷୀ ।

ସରୁନି ପ୍ରଶାସନ ଓ ମିଲରଙ୍କ ମୁଲଚାଲ । ମଣ୍ଡିରେ ଧାନ କିଣୁନାହାନ୍ତି ସରକାର । ଯାହାର ଦଣ୍ଡ ଭୋଗୁଛନ୍ତି ଚାଷୀ । ଶୀତ କାକର ରାତିରେ ମଣ୍ଡିରେ ପରିଶ୍ରମକୁ ଜଗି ବସିଛି ଚାଷୀ । ଏହେଉଛି ନୂଆପଡା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଖରିଫ ଧାନ କିଣା ପାଇଁ ଖୋଲା ଯାଇଥିବା ମଣ୍ଡିର ଦୃଶ୍ୟ । ମଣ୍ଡିରେ ଜମା ହୋଇ ରହିଛି ଶହଶହ ବସ୍ତା ଧାନ । କିନ୍ତୁ ନିମ୍ନମାନର ଧାନ ବୋଲି ମିଲର୍ସ କିଣୁ ନଥିବା ଅଭିଯୋଗ ହେଉଛି । ଫଳରେ ଜିଲ୍ଲାର ମଣ୍ଡିରେ ଧାନବସ୍ତାକୁ ଶୀତକାକର ରାତିରେ ଜଗି ବସିଛନ୍ତି ଚାଷୀ ।

 

ସେପଟେ, କୋରାପୁଟ ଜିଲ୍ଳାର ମଣ୍ଡିରେ ବି ପଡି ରହିଛି ଧାନ । ଖରିଫ ଧାନ କିଣିବାକୁ ଜାଲିଲାରେ ୧୦୮ଟି ମଣ୍ଡି ଖୋଲାଯାଇଥିଲେ ବି ଧାନ କିଣିବା ପ୍ରତି ଆଗ୍ରହ ଦେଖାଉନାହାନ୍ତି ମିଲର । ରୋଗପୋକରୁ ବଂଚିଯାଇଥିବା ଧାନକୁ ବିକିବା ପାଇଁ ଚାଷୀ ହେଉଛି ହଟହଟା । ଧାନର ମାନକୁ ନେଇ ମିଲର ପ୍ରଶ୍ନ ଉଠାଉଥିବା ବେଳେ ମଣ୍ଡିରେ ଦିନ ଦିନ ଧରି ପଡି ରହିଛନ୍ତି ଚାଷୀ । ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

ତେବେ କଷ୍ଟ କରି ଉପାର୍ଜନ କରିଥିବା ଧାନ ବିକ୍ରି କରିବାକୁ ଯେତେ ମାତ୍ରାରେ ଅସୁବିଧା ଭୋଗିଲେଣି, ଏଭଳି ଅବସ୍ଥା ଲାଗି ରହିଲେ ଚାଷ କରିବାକୁ କାହିଁକି ଆଗ୍ରହୀ ହେବେ ଚାଷୀ ?