ଜଳ ଆବଣ୍ଟନକୁ ନେଇ ତାତିଲେ ଚାଷୀ : ଦଉଡ଼ିରେ ବନ୍ଧାହେଲେ ୩ ଯନ୍ତ୍ରୀ, ୨ଘଂଟା ଅଟକ ପରେ ପୁଲିସ ହସ୍ତକ୍ଷେପ ଯୋଗୁଁ ମୁକୁଳିଲେ

26

କନକ ବ୍ୟୁରୋ: ଜଳ ଆବଂଟନକୁ ନେଇ ତାତିଲେ ଚାଷୀ । ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ରହିଥିବା ବାଙ୍କବଳ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଜଳ ଆବଂଟନରେ ଅନିୟମିତତାକୁ କେନ୍ଦ୍ର କରି ଚାଷୀ ଅସେନ୍ତାଷ ତୀବ୍ର ରୂପ ଧାରଣ କରିଛି । ବାଙ୍କବଳ ନଦୀବନ୍ଧରେ ପାଣି ବଂଟନର ସମସ୍ୟାକୁ ତୁଟାଇବାକୁ ଯାଇଥିବାବେଳେ ଅସନ୍ତୁଷ୍ଟ ଚାଷୀମାନେ ରାଇରଙ୍ଗପୁର ଜଳସେଚନ ଖଣ୍ଡର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପାଖାପାଖି ଦୁଇ ଘଂଟା କାଳ ଅଟକ ରଖିଥିଲେ ।

ଚାଷୀମାନେ ଯନ୍ତ୍ରୀଙ୍କୁ ଦଉଡିରେ ବାନ୍ଧି ପକାଇବା ସହ ସେମାନଙ୍କୁ ପ୍ରବଳ ଗାଳିଗୁଲଜ କରିଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନାଧିକାରୀ ପହଁଚିଥି ଯନ୍ତ୍ରୀମାନଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ । ଏହି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ ବାମନଖଣ୍ଡୀଘାଟି ଉପଖଣ୍ଡରେ ରହିଥିବା ଖଡଖାଇ ଓ ବାଙ୍କବଳ ନଦୀବନ୍ଧରୁ ପାଣି ତଳମୁଣ୍ଡର ଚାଷ ଜମିରେ ପହଁଚାଇବା ପାଇଁ କାଠିକାର ସମସ୍ୟା ସୃଷ୍ଟି କରିଛି ।

ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ଏହାକୁ ନେଇ ଗତକାଲି ଶତାଧିକ ଚାଷୀ ଏକାଠି ହୋଇଥିଲେ । ଚାଷୀଙ୍କ ସମସ୍ୟା ବୁଝିବାକୁ ରାଇରଙ୍ଗପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସାମଲ , ସହକାରୀ ଯନ୍ତ୍ରୀ ସାଗର କୁମାର ସାମଲ ଓ କନିଷ୍ଠ ଯନ୍ତ୍ରୀ ଗାଁରେ ପହଁଚିିଥିଲେ । କିନ୍ତୁ ଉତ୍ୟକ୍ତ ଲୋକେ କୌଣସି କଥା ଶୁଣିବା ପୂର୍ବରୁ ସେମାନଙ୍କୁ ଦଉଡିରେ ବାନ୍ଧି ପକାଇଥିଲେ ।