କମୁନି ଚାଷୀଙ୍କ ଦୁର୍ଦ୍ଦଶା । ମଣ୍ଡିରେ ଭୋ ଭୋ ହୋଇ କାନ୍ଦିଲେ ଚାଷୀ । ଟୋକନ କଟି ଯାଇଥିବାରୁ ବିକ୍ରି ହୋଇପାରୁନି ଧାନ, ଶୀତ କାକରରେ ୨୫ ଦିନ ହେଲା ପଡ଼ି ରହିଛନ୍ତି ।

341

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମଣ୍ଡିରୁ ଆସିଛି ଏକ ଅଭାବନୀୟ ଚିତ୍ର । ୨୫ ଦିନ ହେଲା ମଣ୍ଡିରେ ପଡ଼ି ରହିଥିବା ଧାନ ବିକ୍ରି ନକରିପାରି ଛୋଟ ପିଲା ଭଳି କାନ୍ଦି ପକାଇଛନ୍ତି ଜଣେ ଚାଷୀ । କୌଣସି କାରଣରୁ ଏହି ଚାଷୀଙ୍କ ପାଇଁ ଆସିଥିବା ଟୋକନ୍ କଟି ଯାଇଛି । ଆଉ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ । ଏଭଳି ସ୍ଥିତିରେ ଆଗକୁ ହେବ କ’ଣ ସେ କଥା ଭାବି ଚାଷୀଙ୍କ ଆଖିରୁ ଝରି ଆସୁଛି ଲୁହ ।

ଚାଷୀ ଆଖିରେ ଲୁହ । କାହିଁକି କାନ୍ଦିଲେ ଚାଷୀ ? ଧର୍ମଗଡ଼ ଗୋଲାମୁଣ୍ଡା ମଣ୍ଡିର ଏହି ହୃଦୟ ବିଦାରକ ଘଟଣା, ସମସ୍ତଙ୍କୁ ଚିନ୍ତିତ କରିଦେବ । ଯିଏ ଲୋକଙ୍କ ପେଟକୁ ଦାନା ଦେଉଛି, ସିଏ ଅସହାୟ ଭାବେ କାନ୍ଦୁଛି । କାରଣ ଲୁହଲହୁ ଦେଇ ଯେଉଁ ଫସଲ କରିଛି, ତାକୁ ବିକ୍ରି କରିପାରୁନାହିଁ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକର ଉଦେଶୃଙ୍ଗ ଅଂଚଳର ଅନେକ ଚାଷୀ ପ୍ରାୟ ୨୫ ଦିନ ହେଲା ଶୀତ କାକରରେ ମଣ୍ଡିରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଜଗିବସିଛି । କୌଣସି କାରଣରୁ ଟୋକନ କଟି ଯାଇଥିବାରୁ ଧାନ ବିକ୍ରି କରିନପାରି ଜଣେ ଚାଷୀ ଭୋ ଭୋ ହୋଇ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଚାଷୀ କାନ୍ଦୁଛି, ହେଲେ ଆଖିରୁ ଲୁହ ପୋଛିବାକୁ କେହି ନାହିଁ । ଟୋକନ କେବେ ଆସିବ, କେବେ ତାଙ୍କର ଧାନ ବିକ୍ରି ହେବ, ଏ ନେଇ କେହି ଉତର ଦେଇ ପାରୁନାହାନ୍ତି । ବିଗତ ଦିନରେ ଗୋଲାମୁଣ୍ଡା ବ୍ଲକର ଘୋଟିଆ, ବୈଜଲପୁର, ରାମଚନ୍ଦ୍ରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ହେଲେ ସରକାରଙ୍କର ଚିନ୍ତା ପଶିନାହିଁ ।