ରାସ୍ତାରେ ଗଡିଲା ଶସ୍ତା ଟମାଟୋ ! କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ଆଗରେ ଫିଙ୍ଗିଦେଲେ ଚାଷୀ

45

କନକ ବ୍ୟୁରୋ : ରାସ୍ତାରେ ଗଡିଲା ଶସ୍ତା ଟମାଟୋ । କିଲୋ ପିଛା ୭୦ ପଇସାରେ ବିକ୍ରି ହେଉନାହିଁ ବିଲାତି ବାଇଗଣ । ସାରା ଓଡିଶାକୁ ଖାଦ୍ୟ ଯୋଗାଇ ଦେଉଥିବା ଚାଷୀ, ନିଜ ପରିବାରର ପେଟ ପୋଷିବାକୁ ଅସମର୍ଥ ହେଲାଣି । କାରଣ ଧାର ଉଧାର କରି ଏକର ଏକର ଜମିରେ ଟମାଟୋ ଚାଷ କରିଥିଲେ ବି ବଜାରରେ ଚାହିଦା ନାହିଁ । ଲାଭ କଥା ଛାଡନ୍ତୁ, ମୂଳଧନ ଉଠିବା ସମ୍ଭାବନା ନାହିଁ । ଏଭଳି ସ୍ଥିତିରେ ଉତ୍ପାଦିତ ପରିବାକୁ ରାସ୍ତାରେ ଫିଙ୍ଗି ଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ । ପ୍ରଶାସନକୁ ଦୁଃଖ ଜଣାଇବା ପାଇଁ ଆସିଥିବା ଚାଷୀ, ନିରାଶ ହୋଇ ଏହି ପଦକ୍ଷେପ ନେଇଛନ୍ତି । ବଜାରରେ ବିଲାତିର ଚାହିଦା ନାହିଁ । କିଲୋ ୭୦ ପଇସାରେ ବି କିଣିବାକୁ ରାଜି ହେଉନାହାନ୍ତି ବ୍ୟବସାୟୀ ।

ବ୍ୟାଙ୍କ, ସ୍ୱଂୟ ସହାୟକ ଗୋଷ୍ଠୀ କିମ୍ବା ହାତଉଧାରି ଆଣି ଭଲ ଦିପଇସା ରୋଜଗାର କରିବାକୁ ଟମାଟୋ ଚାଷ କରିଥିଲେ କେନ୍ଦୁଝରର ଚାଷୀ । ସାର, ଔଷଧ ଖର୍ଚ୍ଚ ହିସାବ କଲେ ଗୋଟିଏ ଟମାଟୋ ମଞ୍ଜି ପିଛା ୫୦ ପଇସା ଖର୍ଚ୍ଚ କରିଛନ୍ତି । ଆଉ ବିକିଲା ବେଳକୁ କିଲୋ ପିଛା ୫୦ ପଇସାରୁ ସାମାନ୍ୟ ଅଧିକ । ଏଭଳି ସ୍ଥିତିରେ କେମିତି ଶୁଝିବେ ଋଣ ସେହି ଚିନ୍ତାରେ ।

ସାରା ଓଡିଶାକୁ ଖାଦ୍ୟ ଯୋଗାଉଥିବା ଚାଷୀଙ୍କ ଉପରେ ଚଡକ । ପରିସ୍ଥିତି ଏମିତି ହୋଇଛି ଯେ, କଷ୍ଟ କରି ଉତ୍ପାଦନ କରିଥିବା ଅମଳକୁ ଫିଙ୍ଗି ଦେବାକୁ ପଡୁଛି । ଟମାଟୋ ପରି ଶୀଘ୍ର ନଷ୍ଟ ହେଉଥିବା ପରିବାର ସଂରକ୍ଷଣ ଓ ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ନକଲେ ଚାଷୀ ଆଗକୁ ପରିବା ଚାଷ ପ୍ରତି ବିମୁଖ ହେବା ଆଶଙ୍କା ଦେଖାଦେଇଛି ।