ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧି ! କହିଲେ ଚାଷୀ ଆତ୍ମହତ୍ୟାକୁ କାହିଁକି ମାନୁନାହାନ୍ତି ସରକାର ।

26

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ଗୃହ ହେଉଛି ଅଚଳ । ମହାନଦୀ ପରେ ଆଜି ପୁଣି ବିଧାନସଭାରେ ଦେଖିବାକୁ ମିଳିଥଲା ଚାଷୀତାତି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧି । ଗୃହ ଆରମ୍ଭରୁ ହଟ୍ଟଗୋଳ କରିଥିଲେ ବିରୋଧି । ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରୁନଥିବା ଅଭିଯୋଗ କରି ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ଫଳରେ ଦିନ ୧୨ଟା ଯାଏ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଏହାସହ କୃଷି ଋଣ ଛାଡ କରିବାକୁ ମଧ୍ୟ ବିରୋଧୀ ଦାବି କରିଛନ୍ତି ।

ଅନ୍ୟପଟେ ବିରୋଧିଙ୍କ ହଟ୍ଟଗୋଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । ସେ କହିଛନ୍ତି ଛୋଟ ଛୋଟ କଥାରେ ବିରୋଧି ଗୃହକୁ ଅଚଳ କରିଦେବା ଏକପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଯଦି ଆଲୋଚନା କରାଯାନ୍ତା ତାହେଲେ ଠିକଣା ନିଷ୍କର୍ଷ ବାହାରି ପାରନ୍ତା ବୋଲି କହିଛନ୍ତି ଦାମ ।

 ମନ୍ତ୍ରୀ ଦାମୋଦର ରାଉତଙ୍କୁ ପ୍ରତିକ୍ରିୟାର ଜବାବ ରଖିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । କହିଛନ୍ତି ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ଘରକୁ କେନ୍ଦ୍ରମନ୍ତ୍ରୀ ଗଲା ବେଳେ କେମିତି କୃଷିମନ୍ତ୍ରୀ କହିଥିଲେ ବୃନ୍ଦା ସାହୁ ବିଜେପିର । ତେଣୁ ମନ୍ତ୍ରୀ ଦାମୋଦର ରାଉତ ପ୍ରଥମେ ସ୍ପଷ୍ଟ କରନ୍ତୁ, ସେ ବିଜେଡିର କୃଷି ମନ୍ତ୍ରୀ ନା ସାରା ଓଡିଶାର କୃଷିମନ୍ତ୍ରୀ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ଆଜି ପ୍ରଥାମାର୍ଦ୍ଧରେ ବାରମ୍ବାର ଗୃହ ମୁଲତବୀ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାବାହିନୀ ପତି । ଉଦ୍ଦେଶ୍ୟମୂଳକ ଭାବେ ବିଜେପି ଓ ବିଜେଡି ଗୃହକୁ ଚଲାଇଦେଉନଥିବା ସେ ଅଭିଯୋଗ କରିଛନ୍ତି ।