ଜୀବନ ହାରିଲେ ଚାଷୀ । ଲଗାଣ ବର୍ଷାରେ ଫସଲ ନଷ୍ଟ ଓ ଋଣ ଭାର ସୁଝି ନପାରିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ

46

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଫୁଲିଆ ଗ୍ରାମରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ । ସୂଚନା ମୁତାବକ ରବି ଋତୁରେ ଦାଳୁଅ ଧାନ ଚାଷ ସମୟରେ ବର୍ଷା ଯୋଗୁଁ ଧାନ ଫସଳ ନଷ୍ଟ ହୋଇଯାଇଥିଲା । ଫଳରେ ହାତ ଉଧାରୀ ଓ ଋଣ ସୁଝି ନ ପାରିବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା କରିଥିବା ଚାଷୀ ଜଣକ ହେଉଛନ୍ତି ମାନେଶ୍ୱର ବ୍ଲକ ଖୁଲିଆ ଗ୍ରାମର ଲଲିତ ମୋହନ ବାରିକ ।

ସୂଚନା ମୁତାବକ ଗତ ରବି ଋତୁରେ ଦାଳୁଅ ଧାନ ଅମଳ ସମୟରେ ଲଘୁଚାପ ବର୍ଷା ଯୋଗୁଁ ମାନେଶ୍ୱର ବ୍ଲକରେ ବ୍ୟାପକ ଧାନ ଚାଷ ନଷ୍ଟ ହୋଇଥିଲା । ଲଲିତ ମୋହନ ନିଜର ୧୦ ଏକର ଜମି ଓ ୨୫ ଏକର ଭାଗ ଜମି ଦାଳୁଅ ଧାନ ଚାଷ କରିଥିଲେ । ହେଲେ ଧାନ ଅମଳ ସମୟରେ ପ୍ରବଳ ବର୍ଷା ହେବାରୁ ପାଚିଲା ଧାନ ସବୁ ଜମିରେ ନଷ୍ଟ ହୋଇଯାଇଥିଲା । କିଛି ଧାନ ଅମଳ କରିଥିଲେ ମଧ୍ୟ ଆଉ କିଛି ଅମଳ କରିପାରି ନଥିଲେ ଲଳିତ । ଅମଳ କରିଥିବା ଧାନ ଉପଯୁକ୍ତ ଦାମ ନ ପାଇ ଅଭାବ ବିକ୍ରିର ଶୀକାର ହୋଇଥିଲେ । ଦାଳୁଅ ଧାନ କରିବା ପାଇଁ ୧୭ଲକ୍ଷ ଟଙ୍କା ସାହୁକାର ଓ ବ୍ୟାଙ୍କରୁ ଋଣ ଆଣିଥିବା ବେଳେ ସାହୁକାରଙ୍କ ଦାଉ ବାରମ୍ବାର ଲଲିତଙ୍କୁ ଚାପ ଗ୍ରସ୍ତ କରିଥିଲା ।

ଫଳରେ ଗତକାଲି କୀଟନାଶକ ପିଇ ଘରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲକୁ ଅଣାଯାଇଥିଲା ଓ ମେଡିକାଲରେ ତାଙ୍କ ମୃତ୍ୟୁ ହୋଇଛି । ଲଳିତଙ୍କ ମୃତ୍ୟୁପରେ ତାଙ୍କ ପରିବାରରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି । ଏପଟେ ଗ୍ରାମବାସିଙ୍କ କହିବା କଥା ସମସ୍ୟାକୁ ନେଇ ଅନେକ ପ୍ରଶାସନିକ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ଯଦିଓ ବର୍ତ୍ତମାନ ଧାନ ଚାଷ ଠଟିକ୍ ଅଛି କିନ୍ତୁ ଦାଳୁଅ ସମୟରେ ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ଚାଷୀମାନେ କହିଛନ୍ତି । ଏବେ ଠାରୁ ସରକାର ସାହୁକାରଙ୍କ ଉପରେ କଟକଣା ନଲଗାଇଲେ ହୁଏତ ଆଗାମୀ ଦିନରେ ଏଭଳି ଘଟଣା ଅନେକ ଦେଖାଯାଇପାରେ । ଦାଳୁଅ ଧାନ କ୍ଷତି ହୋଇଥିଲେ ମଧ୍ୟ କୌଣସି ପ୍ରକାରର ସାହାର୍ଯ୍ୟ ମିଲିନଥିବା ବେଳେ ସାହୁକାରଙ୍କ ଦାଉ ମାନସିକ ଭାରସାମ୍ୟ ହରାଇ ଶେଷରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।