ବରଗଡ଼ର କଳାପାଣି ପରେ ଅତାବିରାରୁ ଆସିଲା ଦୁଃଖ ଖବର : ପୁଣି କୀଟନାଶକ ପିଇ ଆତ୍ମହତ୍ୟା କଲେ ଆଉ ଜଣେ ଚାଷୀ

27

କନକ ବ୍ୟୁରୋ : କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ । ଆଖିରୁ ଲୁହ ଶୁଖୁନି । ବୁକୁ ଫଟାଇ କାନ୍ଦୁଛନ୍ତି ପରିବାର ଲୋକ ।  ବରଗଡ଼ା ଅତାବିରା ଥାନା ଅନ୍ତର୍ଗତ ନୂଆଖଇରପାଲିର ଅଂଚଳ । ଚକଡ଼ା ପୋକର ଚକ୍ରବୂହ୍ୟ ଭିତରେ ବଳି ପଡିଛନ୍ତି ଆଉ ଜଣେ ଚାଷୀ । ବାପା ମାଆଙ୍କ ଠାରୁ ଭେଣ୍ଡିଆ ପୁଅକୁ ଛଡ଼ାଇ ନେଇଛି ଏହି ଚକଡ଼ା ପୋକ । ସରକାରଙ୍କ ଆଶ୍ୱାସନା ଚାଷୀଙ୍କ ମନରେ ବିଶ୍ୱାସ ଭରିପାରୁନି । ଚାଷୀ ବାଛିନେଉଛି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ।

 ଯୁବଚାଷୀ ପି. ନବୀନ କୁମାର । ପରିବାର ଲୋକଙ୍କ କହିବା ଅନୁଯାୟୀ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ନିଜର ୩ ଏକର ଓ ୧୦ ଏକର ଜମି ଭାଗରେ ଆଣି ଧାନଚାଷ କରିଥିଲେ ନବୀନ କୁମାର । ଚାଷ ମଧ୍ୟ ଭଲ ହୋଇଥିଲା । ହେଲେ ତାଙ୍କ ଧାନ କ୍ଷେତକୁ ଉଜାଡି ଦେଇଥିଲା ଚକଡ଼ା ପୋକ । ପାଖାପାଖି ୮, ୧୦ ଥର କୀଟନାଶକ ଛିଂଚିଥିଲେ ବି ଚକଡ଼ା ପୋକର ଉତ୍ପାତରୁ ଫସଲକୁ ରକ୍ଷା କରିପାରିନଥିଲେ । ଶନିବାର ଦିନ ମଧ୍ୟାହ୍ନରେ ନିଜ ଜମିକୁ ଦେଖି ବିଶ୍ୱାସ କରିପାରିଲେନି ନବୀନ କୁମାର । କ୍ଷେତକୁ ଦେଖି ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏହା ପରେ ସେ କୀଟନାଶକ ପିଇଦେଇଥିବା କହିଛନ୍ତି ପରିବାର ଲୋକ ।

କୀଟନାଶକ ପିଇବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚାରି ଦିନ ତଳେ ବରଗଡ ଜିଲ୍ଲା କଳାପାଣିର ଚାଷୀ ବୃନ୍ଦା ସାହୁ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ଚାଲିଥିବା ବେଳେ ଏବେ ନବୀନ କୁମାରଙ୍କ ଆତ୍ମହତ୍ୟା ବରଗଡ଼ ଜିଲ୍ଲାର ଚାଷୀ ସମସ୍ୟାକୁ ଆହୁରି ସଂଗୀନ କରିଛି ।