ବରଗଡରେ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ! ଫସଲହାନୀ ଯୋଗୁଁ ବିଷ ପିଇଲେ ରାଇସଲପଦର ଗାଁର ଉମାକାନ୍ତ ସାହୁ

42

କନକ ବ୍ୟୁରୋ : ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଗାଇସିଲଟ ବ୍ଲକ ରାଇସଲପଦର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ହେଲେ ଉମାକାନ୍ତ ସାହୁ । ଚାଷ ନଷ୍ଟ ଯୋଗୁଁ ସେ ବିଷ ଦେଇଥିଲେ । ଗୁରୁତର ଅବସ୍ଥାରେ ଲୋଇସିଂହା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ଶରଧାପାଲିରେ ମୃତକଙ୍କ ପରିବାର ଲୋକ ରାସ୍ତା ଅବରୋଧ କରିଛନ୍ତି ।

ଗୋଟିଏ ପଟେ ଚାଷ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି, ଆଉ ଅନ୍ୟପଟେ ବିଭିନ୍ନ ସ୍ଥାନରେ ମଣ୍ଡିରେ ପଡି ରହିଛି ଧାନ । କଳାହାଣ୍ଡି ପଲମ ଧାନ ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ । ସରକାର ଧାନର ମାନ ଖରାପ ଦର୍ଶାଇ ଧାନ କିଣୁନଥିବାରୁ ଚାଷୀ ଚିନ୍ତାରେ ପଡିଯାଇଛି । ୭ ଦିନ ହେଲା ଚାଷୀ ମଣ୍ଡିକୁ ଧାନ ଆଣିଥିଲେ ବି ଏହା ବିକ୍ରୀ ହୋଇପାରୁନାହିଁ । ଖୋଲା ଆକାଶ ତଳେ ଧାନ ପଡିରହିଥିବା ବେଳେ ଆଗାମୀ ବର୍ଷା ସୂଚନା ଚାଷୀଙ୍କୁ ଭୟଭୀତ କରିଦେଇଛି ।

ସେପଟେ ବାଙ୍କୀରେ ମଣ୍ଡି ଖୋଲିବା ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଛି । କେଉଁଠି ଖଳାରେ ତ କେଉଁଠି ରାସ୍ତାକଡରେ ଥୁଆ ହୋଇଛି ଧାନ ବସ୍ତା । ଚକଡା ପୋକ, ଲଘୁଚାପ ବର୍ଷା ପରେ ଚାଷୀ ଅଂଟା ସଳଖ କରି ଛିଡାହୋଇନଥିବା ବେଳେ ପୁଣି ବର୍ଷା ସୂଚନା ଚାଷୀଙ୍କ ନିଦ ହଜାଇଦେଇଛି । ଘର ଅଭାବରୁ ଶହ ଶହ ବସ୍ତା ଧାନ ଅମଳ କରି ଖଳାରେ ଗଦା ହୋଇଛି । ଏଭଳି ଘଡି ସନ୍ଧି ମୂହୁର୍ତରେ ଧାନ ଅମଳ କରି ନିରାପଦ ସ୍ଥାନରେ ରଖିବାକୁ ଚାଷୀ ଲାଗିପଡିଛି ।