ବିଧାନସଭା ଘେରିବେ ଚାଷୀ । ଋଣ ଛାଡ ଦାବି ନେଇ ୧୨ ମାର୍ଚ୍ଚରେ ୩୫ ହଜାର ଚାଷୀଙ୍କ ଆନ୍ଦୋଳନ । ବଢୁଛି ମହାରାଷ୍ଟ୍ର ସରକାରଙ୍କ ଅଡୁଆ

50

ଚାଷୀ ବିରୋଧୀ ବିଜେପି । ପ୍ରତିଶ୍ରୁତି ପାଳରେ ବିଫଳ ମହାରାଷ୍ଟ୍ର ବିଜେପି ସରକାର । କାହିଁକି ପାଳନ ହେଉନି ସ୍ୱାମୀନାଥନ କମିଟି ରିପୋର୍ଟ? କିଛି ଏଭଳି ନାରା ଦେଇ ମହାରାଷ୍ଟ୍ରରେ ଚାଲିଛି ଜୋରଦାର ଚାଷୀ ଆନ୍ଦୋଳନ । ଫଡନାଭିସ୍ ସରକାର ପାଇଁ ଚାଷୀ ଆନ୍ଦୋଳନ ଚିନ୍ତା ବଢାଇ ଦେଇଛି । ସଂପୁର୍ଣ୍ଣ ଋଣଛାଡ ଏବଂ ଅନ୍ୟ ଦାବି ସହ ମହାରାଷ୍ଟ୍ର ବିଧାନସଭା ଘେରିବେ ୩୫ ହଜାର ଚାଷୀ । ପଦଯାତ୍ରା ମାଧ୍ୟମରେ ରାଲି ଆରମ୍ଭ କରିଥିବା ସମସ୍ତ ଚାଷୀ ୧୨ ମାର୍ଚ୍ଚରେ ମୁମ୍ବାଇରେ ପହଂଚିବେ । ଅଲ୍ ଇଣ୍ଡିଆ କିଷାନ୍ ସଭା ଆହ୍ୱାନରେ ବାହାରିଥିବା ଏହି ରାଲି ଶନିବାର ଠାଣେରେ ପହଂଚିଥିଲା । ଯେଉଁଠି ଅସୁସ୍ଥ ହୋଇପଡିବାକୁ ଅନେକ ଚାଷୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବୁଧବାର ଦିନ ଏହି ରାଲି ନାସିକରୁ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ଚାଷୀମାନେ ୩୦ କିମି ଚାଲୁଛନ୍ତି । ନାସିକରୁ ମୁମ୍ବାଇ ୧୮୦ କିମି ରାସ୍ତା ଅତିକ୍ରମ କରିବାକୁ ୬ ଦିନ ସମୟ ଲାଗିବ । ୧୨ ମାର୍ଚ୍ଚରେ ଚାଷୀ ମୁମ୍ବାଇରେ ପହଂଚିବେ । ଅଲ୍ ଇଣ୍ଡିଆ କିଷାନ୍ ସଭାର ନେତା କହିଛନ୍ତି, ଚାଷୀଙ୍କ ଦାବି ହେଉଛି ସଂପୁର୍ଣ୍ଣ ଋଣ ଛାଡ କରିବା । ଏଥିସହ ବକେୟା ବିଜୁଳି ବିଲକୁ ଛାଡ କରାଯିବା ସହ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା ମଧ୍ୟ ଚାଷୀଙ୍କର ଦାବି ରହିଛି । ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଅର୍ଥାତ୍ ବିଜେପି ଦେଶର ଚାଷୀଙ୍କୁ ଧୋକ୍କା ଦେଇଛି । ବିକାଶ, ରାଜରାସ୍ତା ଓ ବୁଲେଟ ଟ୍ରେନ ନାଁରେ ଚାଷୀଙ୍କ ଠାରୁ ଜବରଦସ୍ତ ଜମି ଅଧିଗ୍ରହଣ କରିବା ବନ୍ଦ କରାଯାଉ ।

ଗତବର୍ଷ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ୍ ସରକାର ୩୪ ହଜାର କୋଟିର ଋଣ ଛାଡ ଘୋଷଣା କରିଥିଲେ । ତଥାପି ଗତବର୍ଷ ଜୁନରୁ ଏଯାଏଁ ୧୭୫୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି । ମହାରାଷ୍ଟ୍ରରେ ଚାଷ ଓ ଚାଷୀଙ୍କ ଅବସ୍ଥା ବେଶ ସଂକଟାପନ୍ନ ରହିଛି । ଯାହାକୁ ନେଇ ସରକାର ବିରୋଧରେ ଚାଷୀ ନିଜ ସ୍ୱରକୁ ଶାଣିତ କରୁଛନ୍ତି । ଯାହାକୁ ଆଖି ଆଗରେ ରଖି ଚଳିତ ବଜେଟରେ ଫଡନାଭିସ୍ ଚାଷୀଙ୍କ ପାଇଁ ୭୫ ହଜାର ୯୦୯ କୋଟିର ବ୍ୟବସ୍ଥା କରିଥିଲେ । ତଥାପି ଏମଏସପି ଓ ଋଣଛାଡ ପ୍ରସଙ୍ଗ ଧୀରେ ଧୀରେ ବିଜେପି ସରକାରଙ୍କ ପାଇଁ ଅଡୁଆ ବଢାଉଛି ।