ବିଧାନସଭା ଘେରିବ ନବନିର୍ମାଣ କୃଷକ ସଂଗଠନ । ଆସନ୍ତା ୨୧ରେ ହଜାର ହଜାର ଚାଷୀ ହେବେ ସାମିଲ

39

କନକ ବ୍ୟୁରୋ : ବିଧାନସଭା ଘେରିବ ନବନିର୍ମାଣ କୃଷକ ସଂଗଠନ । ଆସନ୍ତା ୨୧ ତାରିଖରେ ବିଧାନସଭା ଘେରିବାକୁ ଚେତାବନୀ ଦେଇଛି ସଂଗଠନ । ଏହି ଘେରାଉରେ ରାଜ୍ୟରୁ ହଜାର ହଜାର କୃଷକ ସାମିଲ ହେବ ବୋଲି କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଗତ ୮ ଦିନ ଧରି ଜାରି ରହିଛି ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ । ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଅନଶନରେ ବସିଛନ୍ତି ହଜାର ହଜାର କୃଷକ । ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାରଙ୍କ ନେତୃତ୍ୱରେ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମଧ୍ୟ ମିଳିପାରିନାହିଁ ।

ଗତ ଆଠ ଦିନ ଧରି ଏନେଇ କୃଷକ ସତ୍ୟାଗ୍ରହ ଚଳାଇଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ରେଳରୋକ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ଏହି ଆନ୍ଦୋଳନ ଦ୍ୱାରା ଦାବି ପୂରଣ ନ ହେଲେ ଏହା ଏକ ବ୍ୟାପକ ଜନ ଆନ୍ଦୋଳନର ରୂପ ନେବ ବୋଲି କୃଷକ ସଙ୍ଗଠନ ପ୍ରକାଶ କରିଛି । ଏପରିକି ଚାଷୀ ମାନେ ସତ୍ୟାଗ୍ରହରେ ବସିଥିଲେ ସୁଦ୍ଧା ଏଯାଏଁ ସରକାରଙ୍କ ପକ୍ଷରୁ କେହି ଜଣେ ମଧ୍ୟ ଆଲୋଚନାକୁ ଆସିନାହାନ୍ତି । ତେଣୁ ଚାଷୀମାନଙ୍କ ମଧ୍ୟରେ ଏକ ପ୍ରତିକ୍ରିୟା ସୃଷ୍ଟି ହେଲାଣି ।ଯାହା ଅଗାମୀ ଦିନରେ ବିସ୍ପୋରକ ରୂପ ନେଇପାରେ ।