ମଣ୍ଡିରେ ରାତ୍ରୀ ଜଗୁଆଳୀ ଚାଷୀ । ବିକ୍ରୀ ଅପେକ୍ଷାରେ ଧାନ ବସ୍ତାକୁ ଜଗି ରହିଛନ୍ତି ଅନ୍ନଦାତା

ବଲାଙ୍ଗିର ଓ କଳାହାଣ୍ଡିରୁ ଆସିଲା ଚାଷୀଙ୍କ ଦୁଃଖଭରା ସମସ୍ୟା

176

କନକ ବ୍ୟୁରୋ: ହୀନସ୍ତା ହେଉଛି ଚାଷୀ । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି ତ ଅନ୍ୟ କେତେବେଳେ ଧାନ ବିକିବା ପାଇଁ ନୟାନ୍ତ ହେଉଛି । ରକ୍ତକୁ ପାଣି କରି ସୁନାର ଧାନ ଅମଳ କରିବା ପରେ ବି ଦୁଃଖ ସରୁନାହିଁ । ବିକିବା ପାଇଁ ମଣ୍ଡିରେ ଶୀତ କାକରରେ ଜଗି ରହୁଛି ଚାଷୀ । କ୍ଷେତରେ ଖଟିବ, ମଣ୍ଡିରେ ଜଗିବ । ଅମଳ ପରେ ହୀନସ୍ତା ଭୋଗୁଛନ୍ତି ଅନ୍ନଦାତା । ମାଟିରେ ମାଟି ହୋଇ ଧାନ ଫଳାଇଲେ । ଆଉ ଏବେ ମଣ୍ଡି ବିକି ଦୁଇ ପଇସା ପାଇବା ପାଇଁ ରାତିରେ ଜଗୁଆଳ ପାଲଟି ଯାଇଛି ଚାଷୀ । ଶୀତ ରାତିରେ ନିଆଁ ଜାଳି ମଣ୍ଡି ଜଗିଛି ।

ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଧାନ ପହଂଚାଇ ବସିଛି ଚାଷୀ ଚାଷୀ । ହେଲେ ମିଲରର ଦେଖା ନଥିଲା । ୨ଟି ଗାଡ଼ି ପଠାଇ ଚୁପ ହୋଇ ବସି ପଡ଼ିଥିଲା ମିଲର । ଧାନକୁ ମଣ୍ଡିରେ ପକାଇ ଘରକୁ ଫେରି ପାରୁ ନାହାନ୍ତି ଚାଷୀ ।ସେହିପରି କଳାହାଣ୍ଡି ଜିଲ୍ଲାରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ଚାଷୀଙ୍କୁ ଟୋକନ ଠିକ୍ ସେ ଟୋକନ ମିଳୁନି କି ମଣ୍ଡିର ଧାନବସ୍ତା ରଖିବା ପାଇଁ ଜାଗା ମିଳୁନାହିଁ । ଫଳରେ ଏଣେତେଣେ ବିଛାଡି ହୋଇ ପଡି ରହିଛି ଚାଷୀର ଅମଳ । ବିଭିନ୍ନ ମଣ୍ଡିରେ ପ୍ରାୟ ୨ ଲକ୍ଷ କ୍ୱିଂଟାଲ ଧାନ ବସ୍ତା ପଡି ରହିଛି ।

ମଣ୍ଡିରେ ଧାନ ବିକ୍ରୀ ପାଇଁ ସରକାରୀ ଟୋକନ ବ୍ୟବସ୍ଥାରେ ଅବ୍ୟବସ୍ଥା ଯୋଗୁ ଚାଷୀ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଡିସେମ୍ବର ୩୦ ତାରିଖରୁ ଡ଼ିଜିଟାଲ ଟୋକନ ବ୍ୟବସ୍ଥା ଅବ୍ୟବସ୍ଥା ଦେଖାଦେଇଛି । ବର୍ତମାନ ସୁଦ୍ଧା କଳାହାଣ୍ଡି ଜିଲ୍ଲାରୁ ୩୪ ଲକ୍ଷ ୧୪ ହଜାର କ୍ୱିଂଟାଲ ଧାନ କିଣି ସାରିଛନ୍ତି ରାଜ୍ୟ ସରକାର । ଏବେ ବି ବିଭିନ୍ନ ମଣ୍ଡିରେ ୪୦ ହଜାରରୁ ଅଧିକ କ୍ୱିଂଟାଲ ଧାନ ପଡି ରହିଛି । ସେପଟେ ଖାଦ୍ୟ ଓ ଯୋଗାଣ ସଚିବଙ୍କ ଜିଲ୍ଲା ଗସ୍ତ ସମୟରେ ଚାଷୀମାନେ ଏନେଇ ଜଣାଇଛନ୍ତି । ଖୁବଶ୍ରୀଘ୍ର ଟୋକନ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ସଚିବ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଚାଷୀ ଖରା, ବର୍ଷା, ଶୀତ କାକରରେ ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ସୁନା ଫଳାଏ । ହେଲେ ବିକ୍ରୀ ବେଳକୁ ନାହିଁ ନଥିବା ସମସ୍ୟା ଭୋଗେ । ଏହା ଆଜି କାଲିର ସମସ୍ୟା ନୁହେଁ ବର୍ଷ ବର୍ଷ ଧରି ଏମିତି ଖବର ଗଣମାଧ୍ୟମରେ ପ୍ରସାରଣ ହୁଏ ।