ଚାଷୀଙ୍କୁ ଠକିଲେ ସୋରୁମ ମାଲିକ ! କୃଷି ଯନ୍ତ୍ରପାତି ଦେବାକୁ କହି ନେଇଗଲେ ଟଙ୍କା

41

କନକ ବ୍ୟୁରୋ : ଚାଷ କାମ ଯାହାର କି ଆନନ୍ଦ ତାହାର । ପୁର୍ବରୁ ଏହି ଉକ୍ତିଟି ଶୁଣିବାକୁ ମିଳୁଥିବାବେଳେ ଏବେ କିନ୍ତୁ ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତାରେ ଚାଷୀ । କେଉଁଠି ଚାଷୀକୁ କୃଷି ଉପକରଣ ଯୋଗାଇଦେବାରେ ଅବହେଳା କରାଯାଉଥିବାବେଳେ କେଉଁଠି ପୁଣି ଅଦିନିଆ ବର୍ଷା ଚାଷୀ ଉପରେ ଦାଉ ସାଧୁଛି । ବିଶେଷ କରି ସରକାରୀ ସହାୟତା ନ ପାଇ ଚାଷୀ ମୁଣ୍ଡରେ ହାତ ଦେଇ ବସୁଥିବାର ଘଟଣା ସାମ୍ନାକୁ ଆସିଛି ।

ବିଭିନ୍ନ ବ୍ୟାଙ୍କ୍ ଗୁଡିକରୁ ଋଣ କରି କୃଷି ଯନ୍ତ୍ରପାତି କିଣିଥିଲେ ଚାଷୀ । ଆଉ ବ୍ୟାଙ୍କ ପକ୍ଷରୁ କୃଷି ଯନ୍ତ୍ରପାତି ପାଇଁ ବୌଦ୍ଦର ଜଣେ ଡିଲରଙ୍କୁ ବ୍ୟାଙ୍କ ପକ୍ଷରୁ ଡ୍ରାଫ୍ଟ ଦିଆଯାଇଥିଲା । କିନ୍ତୁ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ଏଯାଏଁ ସେମାନଙ୍କୁ ମିଳିପାରିନି କୃଷି ଉପକରଣ । କିଛି ଚାଷୀଙ୍କୁ ଏହି ଉପକରଣର ଅଧା ଅଂଶ ମିଳିଥିଲେ ବି ଏଗୁଡିକ ବ୍ୟବହାର ଉପଯୋଗୀ ହୋଇପାରିନାହିଁ । ଅନ୍ୟପଟେ କିନ୍ତୁ ଏହି ଉପକରଣଗୁଡିକ ଚାଷୀଙ୍କୁ ମିଳି ନଥିବାବେଳେ ଏଥିପାଇଁ ବ୍ୟାଙ୍କକୁ ସୁଧଟଙ୍କା ଦେଉଛନ୍ତି ଚାଷୀ ।

ଏନେଇ ଚାଷୀମାନେ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ଚାଷୀଙ୍କ ଏତଲାକୁ ଆଧାର କରି ପୋଲିସ ଏହି ଡିଲରଙ୍କୁ ଗିରଫ କରିଛି । ଅନ୍ୟପଟେ ଗଂଜାମ ଜିଲା ଦିଗପହଣ୍ଡିରେ ବି ଚାଷୀମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପାଖାପାଖି ୧୨ ଶହ ହେକ୍ଟର ଜମିରେ ଚାଷୀମାନେ ଧାନ ଚାଷ କରିଥିଲେ । ହେଲେ ଅଦିନିଆ ବର୍ଷା ସହ ମାଟିଆଗୁଣ୍ଡି ପୋକ ଯୋଗୁଁ ବର୍ତ୍ତମାନ ଫସଲ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି । ଏହି ପୋକ ଲାଗିବା ଫଳରେ ଧାନଗଛଗୁଡିକର ଅଗପତ୍ର ମୋଡି ହୋଇ ପାଳକୁଟା ପାଲଟିଯାଉଛି । ବ୍ୟାଙ୍କରୁ ଋଣ କରି ଚାଷୀ ଚାଷ କରିଥିବାବେଳେ ଏଭଳି ଫସଲ ନଷ୍ଟ ହେବା ଚାଷୀର ଅମଳ ସ୍ୱପ୍ନକୁ ଭାଂଗିଦେଇଛି । ବର୍ତମାନ ଏହି ଦୁଇ ଜିଲାର ଚାଷୀ ସରକାରି ସହାୟତାକୁ ଚାହିଁ ବସିଛନ୍ତି ।