ପୁଣି ଡରାଇଲା ବର୍ଷା ! ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ନେଇ ବଢିଲା ଚାଷୀଙ୍କ ଚିନ୍ତା

39

କନକ ବ୍ୟୁରୋ : ଚକଡା ଓ ଲଘୁଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଏବେ ପୂଣି ବର୍ଷା ଆସୁଥିବାରୁ ଚାଷୀ ଭୟଭୀତ ହୋଇପଡିଛନ୍ତି । ବର୍ଷା ଆସିବା ପୂର୍ବରୁ ଧାନ କାଟି ସଂରକ୍ଷିତ ସ୍ଥାନରେ ରଖିବାକୁ ବାଙ୍କୀରେ ଚାଷୀ ଦିନ ରାତି ଲାଗିପଡିଛନ୍ତି । ଏହି ଲଘୁଚାପ ବର୍ଷା ଫଳରେ ଉପକୂଳ ଓଡିଶା ବିଶେଷ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଦିନ ରାତି ଏକ କରିଧାନକୁ ସଂରକ୍ଷିତ ରଖିବାରେ ବ୍ୟସ୍ତ ଚାଷୀ ।

ସେହିପରି କେନ୍ଦ୍ରାପଡା ପାଟକୁରାରରେ ମଧ୍ୟରେ ସମାନ ଚିତ୍ର ଦେଖାଦେଇଛି । ଗତ କିଛି ଦିନ ପୂର୍ବରୁ ଲଗାଣ ବର୍ଷା ଫଳରେ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁଣି ଏକ ଲଘୁଚାପ ବର୍ଷା ନେଇ ସରକାର ଚାଷୀଙ୍କୁ ସତର୍କ କରାଇଦେଇଛନ୍ତି । ପାଚିଲା ଧାନ ଏବେ ଜମିରେ ଗଦା ହୋଇରହିଥିବା ବେଳେ ବର୍ଷା ଆଗରୁ ଚାଷୀ ଧାନକୁ ସାଇତି ରଖିବାରେ ଲାଗିପଡିଛନ୍ତି । ମହାକାଳପଡା,ମାର୍ଶାଘାଇ ଓ ଗରଦପୁର ବ୍ଲକରେ ଏବେ ଚାଷୀ ମାନେ ଧାନ ଅମଳ ପାଇଁ ତତ୍ପର ହୋଇପଡିଛନ୍ତି । ସେହିପରି ନିଆଳିରେ ମଧ୍ୟ ଚାଷୀ ବର୍ଷା ନେଇ ଭୟଭୀତ ହୋଇଯାଇଛି । ବର୍ଷା ଆଶଙ୍କାରେ ନିଆଳି ବ୍ଲକର ୨୩ଟି ପଂଚାୟତର ଚାଷୀ ଆତଙ୍କିତ ହୋଇପଡିଛନ୍ତି । କିଏ ବିଲରୁ ଧାନ କାଟିରେ ତ କିଏ ଅମଳ କରିବାରେ ବ୍ୟସ୍ତ । ବର୍ଷା ପୂର୍ବରୁ ଧାନକୁ କିପରି ସୁରକ୍ଷିତ ସ୍ଥାନରେ ରଖିବେ ସେ ନେଇ ଲାଗିପଡିଛନ୍ତି ।

ସୂଚନୋଯୋଗ୍ୟ ଡିପ୍ ଡିପ୍ରେସନର ରୂପ ନେବ ଲଘୁଚାପ । ବଙ୍ଗୋପସାଗର ଦକ୍ଷିଣପୂର୍ବ ଦୂରରେ ଥିବା ଲଘୁଚାପ ଆସନ୍ତା ୪୮ ଘଂଟା ଭିତରେ ଗଭୀର ଅବପାତର ରୂପ ନେବ । ଏହା ବର୍ତମାନ ଦକ୍ଷିଣପୂର୍ବ ମଚ୍ଛଲିପଟନମ୍ ଠାରୁ ୧୧୬୦ କିଲୋମିଟର ଦୂରରେ ଥିବା ଲଘୁଚାପ ଦକ୍ଷିଣ ଓ ଦକ୍ଷିଣପୂର୍ବ ଗୋପାଳପୁରର ୧୨୫୦ କିଲୋମିଟର ଦୂରରେ ରହିଛି । ଏହା ୮ ତାରିଖ ସଂଧ୍ୟା ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ପରେ ଅବପାତ ଦୁର୍ବଳ ହେବ । ଏହାର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶାରେ ଆସନ୍ତା କାଲିଠାରୁ ୯ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ୮ ଓ ୯ ତାରଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ନେଇ ଆକଳନ କରୁଛି ପାଣିପାଗ ବିଭାଗ । ଏହି ସମୟରେ ୪୦ରୁ ୫୦ କିିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ ।

ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ୪ ଦିନର ବର୍ଷା ପରେ ୧୧ ତାରିଖ ବେଳକୁ ବର୍ଷା କମିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ଦୁଇ ସପ୍ତାହ ତଳେ ଅଦିନିଆ ଲଘୁଚାପ ବର୍ଷା ଚାଷୀର ବର୍ଷକ ପରିଶ୍ରମ ଧୋଇ ଦେଇଥିଲା । ଏବେ ପୁଣି ଥରେ ସେହିଭଳି ଲଘୁଚାପ ଯୋଗୁଁ ବର୍ଷା ଦାଉରୁ ରବି ଫସଲ ଓ ପନିପରିବାକୁ ରକ୍ଷା କରିବେ ଏବଂ ଅମଳ ଧାନକୁ କିପରି ସୁରକ୍ଷିତ ରଖିବେ ଏ ନେଇ ଆରମ୍ଭ ହୋଇଯାଇଛି କସରତ୍ । ୧୮ଟିି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ଥିବାରୁ ସତର୍କ ରହିବାକୁ କ୍ଷେତ୍ର ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଦୋଛକିରେ ଜୟପୁର ଚାଷୀ । ମଣ୍ଡିରେ ଧାନ ବିକ୍ରି ହୋଇନପାରି ଗଦା ହୋଇ ରହିଛି । ଧାନର ମାନ ଭୁଲ ଦର୍ଶାଇ ସରକାର ଧାନ କିଣୁନାହାନ୍ତି । ସେପଟେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ପଡିରହିଥିବା ବେଳେ ବର୍ଷା ଆଶଙ୍କା ଚାଷୀଙ୍କୁ ଛାନିଆ କରିଦେଇଛି । ଏନେଇ ଜୟପୁରରୁ ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ଜୟପୁରରୁ ରମେଶ ମାଝୀ ।