ଆନ୍ଦୋଳନ ନକରିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ । ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କଲେ ବି ପ୍ରଭାବ ପଡିବ ବୋଲି କହିଲେ ଶଶି ଭୂଷଣ

269

କନକ ବ୍ୟୁରୋ: ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଓଡିଶା ବନ୍ଦ ଡକରା ଦେଇଛି । ମାଟ୍ରିକ ପରୀକ୍ଷା ପୂର୍ବଦିନ ଏହି ହରତାଳ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଏହି ବନ୍ଦକୁ ବିରୋଧୀ କଂଗ୍ରେସ ଓ ବିଜେପି ବି ସମର୍ଥନ ଦେଇଛନ୍ତି ।  ଏ ନେଇ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  କହିଛି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚିବାର ଥିବା ଯୋଗୁଁ କୌଣସି ଅସୁବିଧା ହେବ ନାହିଁ ।  ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ କହିଥିବା ବେଳେ ଆନ୍ଦୋଳନ ନକରିବାକୁ ରାଜ୍ୟ କୃଷି ମନ୍ତ୍ରୀ ଅନୁରୋଧ କରିଛନ୍ତି ।

କୃଷି ମନ୍ତ୍ରୀ କହିଛନ୍ତି କି, ଆନ୍ଦୋଳନକୁ ଓହ୍ଲାଇବା ନବନିର୍ମାଣ କୃଷକ ସଂଗଠନର ନିଜସ୍ୱ ସ୍ୱାଧିନତା । ଆମେ ତାଙ୍କୁ ଆନ୍ଦୋଳନ ନକରିବାକୁ ଅନୁରୋଧ କରୁଛୁ । କାରଣ ରାଜ୍ୟ ସରକାର କୃଷକମାନଙ୍କର ଭିର୍ତ୍ତିଭୂମିର  ବିକାଶ, ଆର୍ଥିକ ବିକାଶ , ସାମଗ୍ରୀକ ବିକାଶ କରିବା ପାଇଁ କାଳିଆ ସମେତ ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାକୁ ସାରା ଭାରତବର୍ଷରେ ସ୍ୱିକୃତୀ ଏବଂ ପ୍ରଶଂସା ମିଳୁଥିବା ବେଳେ ଏବେ ଏ ଦିଗରେ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେଳେ ଆମେ ଆଶା କରୁଛୁ କି ,ଯେଉଁମାନେ ବାସ୍ତବରେ କୃଷକମାନଙ୍କ ପାଇଁ ଲଢେଇ କରୁଛନ୍ତି ସେମାନେ ଏଥିରେ ସହଯୋଗ କରିବେ । କିନ୍ତୁ ବଡ ଦୁଃଖର ବିଷୟ କି, ଚାଷୀ ସଂକ୍ରାନ୍ତୀୟ ଯେଉଁ ମନ୍ତ୍ରୀମଣ୍ଡଳ ସ୍ତରୀୟ ପ୍ରାଥିମକ ବୈଠକ ହୋଇଥିଲେ ସେଥିରେ ଓଡିଶାର ସବୁ ଜିଲ୍ଲାରୁ ପୁରୁଣା ଚାଷୀ ସଂଗଠନ ମାନେ ପ୍ରତିନିଧିତ୍ୱ କରିଥିବା ବେଳେ ନବ ନିର୍ମାଣ କୃଷକ  ସଂଗଠନ ଏହାକୁ ପ୍ରତ୍ୟାଖ୍ୟାନ କରିବା ନିଶ୍ଚୟ ଦୁଃଭାଗ୍ୟର ବିଷୟ ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ରାଜ୍ୟ ସରକାରଙ୍କର ପ୍ରତିନିଧି ଭାବରେ ସେମାନଙ୍କୁ ମନ୍ତ୍ରୀ ମଧ୍ୟ ରାଜ ରାସ୍ତାକୁ ଯାଇ ବୁଝାସୁଝା କରିଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ କୃଷକମାନଙ୍କ ସଂକ୍ରାନ୍ତରେ ଯେଉଁ ବ୍ୟାପକ କାର୍ଯ୍ୟକ୍ରମ ସରକାର  ହାତକୁ ନେଇଛନ୍ତି ଆମେ ଆଶା ରଖିଥିଲୁ କି ସେମାନେ ଏଥିରେ ସହଯୋଗ ରଖିବେ ଏବଂ ଅଧିକନ୍ତୁ ତାଙ୍କର ଯେଉଁ ଦାବି ତାକୁ ମଧ୍ୟ ରଖିପାରିଥାନ୍ତେ କିନ୍ତୁ ଏକପାଖିଆ ଭାବରେ ନବ ନିର୍ମାଣ କୃଷକ ସଂଗଠନର ସାଥିମାନେ ଯେଉଁଭଳି ଭାବରେ ଆନ୍ଦୋଳନ ଚଳାଇଛନ୍ତି ତାହା ଦ୍ୱାରା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ବିଶେଷ କରି ମାଟ୍ରିକ୍ ପରୀକ୍ଷା ଥିବା ସମୟରେ ଏଭଳି ଆନ୍ଦୋଳନ ନିଶ୍ଚୟ ଭାବରେ ପ୍ରଭାବିତ କରିବ । ସେମାନେ ଯେତେବି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ  କଲେ ବି ଏହାର ପ୍ରଭାବ ନିଶ୍ଚୟ ପଡିବ ବୋଲି କହିବା ସହ ଆନ୍ଦୋଳନ ନକରିବାକୁ ବାରମ୍ବାର ଅନୁରୋଧ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ଶଶି ଭୂଷଣ ବେହେରା ।