ଓଡିଶାରେ ସରକାର ଗଢିଲେ ୧୦ ଦିନରେ କୃଷି ଋଣ ଛାଡ କରିବ କଂଗ୍ରେସ! ତମାଣ୍ଡୋରୁ ରାହୁଲ ଖେଳିଲେ କୃଷକ କାର୍ଡ

464

କନକ ବ୍ୟୁରୋ : ଓଡିଶାରେ କୃଷକ କାର୍ଡ ଖେଳିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କ୍ଷମତାକୁ ଆସିଲେ ଓଡିଶାରେ କୃଷି ଋଣ ଛାଡ କରିବୁ ବୋଲି ଘୋଷଣା କରିଛନ୍ତି ରାହୁଲ । ଏହାସହ ୨୦୧୯ ନିର୍ବାଚନ ର୍ପୂବରୁ ବଡ ଚାଲ୍ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ କୃଷିଋଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାହୁଲ ।ତମାଣ୍ଡୋର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଏଭଳି ଘୋଷଣା କରି ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ରାହୁଲ । ଆଉ ଏଭଳି କହି ଚାଷୀଙ୍କ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଫର୍ମୁଲାରେ ଓଡିଶାରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଦଳ । ଏହି ୩ ରାଜ୍ୟରେ କଂଗ୍ରେସ ସରକାର ଗଢିବା ସହ କୃଷି ଋଣ ଛାଡ କରିଥିବା ବେଳେ ଓଡିଶାର ଚାଷୀଙ୍କୁ ମଧ୍ୟ ସମାନ ସ୍ୱପ୍ନ ଦେଖାଇଛନ୍ତି । କେବଳ ଏତିକି ନୁହେଁ ଚାଷୀଙ୍କ ପାଇଁ ଏମଏସପି ଦର ୨୬୦୦ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ କଂଗ୍ରେସର ରାଜ୍ୟ ୟୁନିଟକୁ ଚ୍ୟାଲେଞ୍ଜ ଦେଇଛନ୍ତି ରାହୁଲ ।

ଛତିଶଗଡରେ ଚାଷୀ ମାନଙ୍କୁ ଓଡିଶା ଠାରୁ ଅଧିକ ଏମଏସପି ମିଳୁଛି । ତେଣୁ ଓଡିଶା ଚାଷୀ ଛତିଶଗଡରେ ଧାନ ବିକ୍ରି କରୁଛନ୍ତି । କିନ୍ତୁ ଓଡିଶାରେ କଂଗ୍ରେସ ସରକାର ଆସିଲେ ଚାଷୀଙ୍କୁ ଛତିଶଗଡ ଯିବାକୁ ପଡିବ ନାହିଁ । ଏହାବାଦ୍ ନବୀନ ସରକାର ଚାଷୀଙ୍କୁ କେବଳ ପ୍ରତିଶୃତି ଦେଉଛନ୍ତି । ରାଜ୍ୟରେ ଆବଶ୍ୟକୀୟ ଖାଦ୍ୟ ପ୍ରକିୟାକରଣ ପ୍ଲାଣ୍ଟ ନ ଥିବାରୁ ଅଧିକାଂଶ ସମୟରେ ଫସଲର ଅଭାବୀ ବିକ୍ରି ହେଉଛି । ତେବେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଚାଷୀଙ୍କ ପାଇଁ ପ୍ରତି ଜିଲ୍ଲାରେ ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ ଖୋଲାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ରାହୁଲ । ଯାହାଫଳରେ ଚାଷୀଙ୍କ ଫସଲକୁ ଏହି ପ୍ଲାଣ୍ଟରେ ପ୍ରୋସିସିଂ କରାଯିବ । ଆଉ ଏହାଦ୍ୱାରା ଓଡିଶାର କୃଷି ଉତ୍ପାଦ ଆମେରିକା ପର୍ଯ୍ୟନ୍ତ ପହଞ୍ଚାଇବ କଂଗ୍ରେସ ।

କୃଷି ଓ କୃଷକଙ୍କ ବିନା ଦେଶ ଗୋଟିଏ ପାଦ ଆଗକୁ ଯାଇପାରିବନି । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ କୃଷକଙ୍କ କଥା ନ ଭାବି ଉଦ୍ୟୋଗପତିଙ୍କ କଥା ଚିନ୍ତା କରୁଛନ୍ତି । ଅଳ୍ପ କିଛି ଉଦ୍ୟୋଗପତିଙ୍କୁ ସାଥୀ କରି ସେମାନଙ୍କ ହାତରେ ସମସ୍ତ ଟଙ୍କା ଦେଇ ସେମାନଙ୍କ ଦ୍ୱାରା ମାକେର୍ଟିଂ କରୁଛନ୍ତି । ତେଣୁ ଏବେ ଚାଷୀ ନ୍ୟାୟ ମାଗୁଛି । ସରକାରକୁ ଆସିଲେ ଚାଷୀଙ୍କୁ ନ୍ୟାୟ କଂଗ୍ରେସ ଦେବ ବୋଲି କହିଛନ୍ତି ରାହୁଲ । ଏହାଛଡା ପୂର୍ବରୁ ପଞ୍ଜାବ ଓ ହରିୟାଣାରେ ସବୁଜ ବିପ୍ଲବ ମାଧ୍ୟମରେ ଚାଷୀଙ୍କ ଜୀବନଧାରା ବଦଳାଇଥିବା କଂଗ୍ରେସ କ୍ଷମତାକୁ ଆସିଲେ ଓଡିଶାରେ ମଧ୍ୟ ଚାଷୀଙ୍କ ଉପରେ ଫୋକସ କରିବ ବୋଲି କହିଛନ୍ତି ରାହୁଲ । ତେବେ ରାହୁଲଙ୍କ ଏହି କୃଷକ କାର୍ଡ କଂଗ୍ରେସକୁ ୨୦୧୯ ନିର୍ବାଚନୀ ବୈତରଣୀ ପାର କରାଇବ କି ନାହିଁ ତାହା ଦେଖିବା ବାକି ରହିଲା ।