ଚାଷୀଙ୍କ ପାଇଁ ନବୀନଙ୍କ ପ୍ରତିଶୃତି । ସରକାରକୁ ଆସିଲେ ପ୍ରଥମ ଦିନରେ ହିଁ ମିଳିବ କାଳିଆ ଟଙ୍କା,କେହି ଜଣେ ବି ଚାଷୀ ପଡିବେନି ବାଦ୍ ।

275

କନକ ବ୍ୟୁରୋ : ଜୟପୁର ନିର୍ବାଚନୀ ସଭାରେ ବିରୋଧୀଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଏହାସହ ବିଜେଡି ଇସ୍ତାହାର ପତ୍ରର ପ୍ରଥମ କାର୍ଡ ଖୋଲିଛନ୍ତି ନବୀନ । ବିଜେଡି ନିଜ ଇସ୍ତାହାର ପତ୍ରରେ ଚାଷୀ କଲ୍ୟାଣକୁ ଏକ ନମ୍ବରରେ ରଖିଥିବା କହିଛନ୍ତି ଦଳପତି । କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଫାଇଦା ପାଇଥିବା ବେଳେ ଆହୁରି ୨୫ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସବୁ ଚାଷୀ କାଳିଆ ଯୋଜନାର ଫାଇଦା ପାଇବେ । ଗୋଟିଏ ବି ଚାଷୀ ଏହି ଯୋଜନାରୁ ବାଦ ପଡିବେ ନାହିଁ ବୋଲି କହିଛନ୍ତି ନବୀନ ।

ଏହାଛଡା ସରକାରକୁ ଆସିବାର ପ୍ରଥମ ଦିନରେ ହିଁ ବାକି ଥିବା ୨୫ ଲକ୍ଷ ଚାଷୀ କାଳିଆ ଯୋଜନାର ୨ଟି କିସ୍ତିର ୧୦ ହଜାର ଟଙ୍କା ଏକାଥରକେ ପାଇବେ । ଏଭଳି କହି କୃଷକଙ୍କ ମନ ଜିଣିବା ପାଇଁ ପ୍ରୟାସ କରିଛନ୍ତି ନବୀନ । ଏହାଛଡା ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ନବୀନ କହିଛନ୍ତି, ଫାଇଲିନ, ହୁଡହୁଡ, ତିତିଲି ବେଳେ ଆସିଲେ ନାହିଁ କିନ୍ତୁ ଭୋଟବେଳକୁ ଚାଲି ଆସିଲେ । ବିଜେପିର ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାହିଁକି ସାହାଯ୍ୟ କରିବା ପରିବର୍ତ୍ତେ ରାଜ୍ୟକୁ ଅଣଦେଖା କରାଯାଉଛି । କାହିଁକି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡିଶାକୁ ସାହାଯ୍ୟ ମିଳୁନାହିଁ ତାହାକୁ ନେଇ କେନ୍ଦ୍ର ସରକାରଙ୍କୁ ତେରଛା ବାଣ ମାରିଛନ୍ତି ନବୀନ ।

ନିର୍ବାଚନ ବେଳେ ସମସ୍ତେ ବଡ ବଡ କଥା କହିବେ କିନ୍ତୁ ନିର୍ବାଚନ ସରିବା ପରେ କାହାର ଦେଖା ମିଳିବ ନାହଁଁ କହିବା ସହ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ । କିନ୍ତୁ ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ସହ ରହିଛି । ଏହାସହ ତାଙ୍କୁ ପୁଣିଥରେ ଆର୍ଶୀବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରକୁ ନିବେଦନ କରିଛନ୍ତି ।

ଗୋଟିଏ ପଟେ ସରକାରକୁ ଆସିଲେ ପ୍ରଥମ ଦିନରେ କାଳିଆ ଯୋଜନାର ୨ଟି କିସ୍ତି ଟଙ୍କା ଚାଷୀଙ୍କୁ ମିଳିବ ବୋଲି ନବୀନ ଘୋଷଣା କରିଥିବା ବେଳେ ଅନ୍ୟପଟେ ବିଜେଡିର ଏକ ଟିମ୍ କାଳିଆ ଟଙ୍କା ବନ୍ଦ ନ କରିବାକୁ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ।