ଧାନବିକ୍ରି ପାଇଁ ଅଡୁଆରେ ଚାଷୀ ! ହୋଇପାରୁନାହିଁ ପଂଜୀକରଣ, ସଂପୃକ୍ତ ବିଭାଗ କର୍ମଚାରୀମାନେ ବସିଛନ୍ତି ଆନ୍ଦୋଳନରେ

28

କନକ ବ୍ୟୁରୋ :  ସମବାୟ ସମିତି ରେଜିଷ୍ଟ୍ରାରରେ ସମସ୍ତ ଆଂଚଳିକ କାର୍ଯ୍ୟାଳୟକୁ ଲେଖିଥିବା ଚିଠି । ଏହାର ତଥ୍ୟ ଅନୁସାରେ ଖରିଫ ଧାନ ବିକିବା ପାଇଁ ରାଜ୍ୟରେ ପଂଜୀକୃତ ଚାଷୀଙ୍କ ସଂଖ୍ୟାରେ ଆଶାତୀତ ହ୍ରାସ ଘଟିଛି । ଚଳିତ ମାସ ୮ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରେ ୧୯ ଲକ୍ଷ ୯୫ହଜାର ଚାଷୀଙ୍କୁ ପଂଜୀକରଣ କରିବାକୁ ଲକ୍ଷ ରଖାଯାଇଥିବା ବେଳେ ମାତ୍ର ୯ ଲକ୍ଷ ୭୪ ହଜାର ଚାଷୀଙ୍କ ପଂଜୀକରଣ କରାଯାଇପାରିଛି।

କେବଳ ସୋନପୁର ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ପଂଜୀକରଣ ହାର ଅହେତୁକ ଭାବେ କମିଥିବାକୁ ନେଇ ବିଭାଗ ଉଦବେଗ ପ୍ରକାଶ କରିଛି । ଏପରିକି ୨୦୧୬ରେ ପଂଜୀକୃତ ୨ ଲକ୍ଷ ୧୨ ଡଜାର ଚାଷୀଙ୍କ ପଂଜୀକରଣକୁ ମଧ୍ୟ ନବୀକରଣ କରାଯାଇପାରିନାହିଁ ।

କାହିଁକି କମିଲା ପଂଜୀକରଣ ?
ସମବାୟ ସମିତି କର୍ମଚାରୀ ଓ ଲ୍ୟାମ୍ପସ କର୍ମଚାରୀ ଏବଂ ପ୍ରତିନିଧି ୫ ଦଫା ଦାବୀ ନେଇ ରାଜଧାନୀରେ ଆନ୍ଦୋଳନ ଚଳାଇଛନ୍ତି । ଯାହା ପଂଜୀକରଣ କାର୍ଯ୍ୟରେ ବାଧାସୃଷ୍ଟି କରୁଛି । ସରକାରଙ୍କ ଡେଡ୍ ଲାଇନ ସତ୍ୱେ ଦାବୀ ପୂରଣ ନହେଲେ ସହଯୋଗ କରିବେନି ବୋଲି ଧମକ ଦେଇଛି ସଂଘ । ମରୁଡି ଓ ଚକଡା ପୋକ ପରେ ଏବେ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ତେଣୁ ଖରିଫ ଧାନ କେମିତି ବିକିବ ସେ ନେଇ ଏବେ ଚାଷୀକୂଳ ଚିନ୍ତାରେ ।