ଚାଷୀ ଆଖିରୁ ନିଦ ଚୋରି କରିଛି ସମ୍ଭାବ୍ୟ ବର୍ଷା : ଫସଲ ସୁରକ୍ଷା ପାଲଟିଛି ଚ୍ୟାଲେଂଜ

80

କନକ ବ୍ୟୁରୋ : ମାଡି ଆସୁଛି ଲଘୁଚାପ ଜନିତ ବର୍ଷା । ବର୍ଷାକୁ ନେଇ ଚିନ୍ତାରେ ଥିବା ସମ୍ବଲପୁର ଜିଲ୍ଲାର ଚାଷୀ ଫସଲ ଅମଳ ସମୟରେ ଅଧିକ ଖର୍ଚାନ୍ତ ହେଉଛନ୍ତି । ପ୍ରଥମେ ଚକଡା ପୋକ, ନକଲି ଔଷଧ ଆଉ ଏବେ ବର୍ଷା ଚାଷୀକୁଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ବର୍ଷା ଆସୁଥିବା ସୁଚନା ପାଇବା ପରେ ଚାଷୀ ଧାନ ଅମଳ କରି ସାଇତିବାରେ ବ୍ୟସ୍ତ । ଅନ୍ୟ ସମୟରେ ଯେଉଁ ଫସଲ ଅମଳ ପାଇଁ ୪ରୁ ୫ ଶ୍ରମିକ ଆବଶ୍ୟକ ପଡିଥାଏ ଏବେ ସେଠାରେ ୧୦ରୁ ୧୫ ଜଣ ଶ୍ରମିକ ଲଗେଇ ଧାନ ଅମଳ କରୁଛନ୍ତି ଚାଷୀ । ଫଳରେ ଅଧିକ ଖର୍ଚାନ୍ତ ହେବାକୁ ପଡୁଛି । ଏ ତ ଗଲା ଅମଳ କଥା, ଧାନ ବିକ୍ରି ପାଇଁ ମଣ୍ଡିରେ ମଧ୍ୟ ବହୁ ଅସୁବିଧା ଭୋଗ କରିବାକୁ ପଡୁଥିବା ଅଭିଯୋଗ ହୋଇଛି । ସେପଟେ ବର୍ଷାକୁ ଦେଖି ସଜାଗ ରହିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଆରଏମସିକୁ ସଜାଗ କରିବା ସହ ଚାଷୀମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଷ ଦେଇଛନ୍ତି ଜିଲ୍ଲାପାଳ ।

ସାମ୍ଭାବ୍ୟ ବର୍ଷାକୁ ନେଇ ଆତଙ୍କିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ଚାଷୀ ଧାନ ଫସଲ ସାଉଁଟିବାରେ ଲାଗିଛନ୍ତି । ରୋଗପୋକ ଓ ଅଦିନିଆ ବର୍ଷାରେ ୭୦ ଭାର ଫସଲ ନଷ୍ଟ ହୋଇଯାଇଥିବା ବେଳେ ବଳକା ୩୦ ଭାଗ ଫସଲ ଅମଳ କରିବା ପାଇଁ ହାଂଡଭଙ୍ଗା ପରିଶ୍ରମ କରୁଛି ଚାଷୀ । ହେଲେ ବିଲରୁ କାଟି ଆଣିଥିବା ଧାନକୁ ରଖିବ କେଉଁଠି ତାକୁ ନେଇ ଚିନ୍ତା ବଢିଯାଇଛି । ନିଜ ପଂଚାୟତରେ ଧାନ ଖଳା ନାହିଁ । ସରକାରଙ୍କ ନିୟମ କହୁଛି ପ୍ରତି ପଂଚାୟତରେ ସରକାରଙ୍କ ପକ୍ଷରୁ ଗୋଟିଏ ଲେଖାଏଁ ଧାନ ଖଳା କରାଯିବ । ହେଲେ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକରେ ମାତ୍ର ଗୋଟିଏ ଲେଖାଏଁ ଧାନଖଳା କରାଯାଇଛି । ଫଳରେ ଚାଷୀ ତରବରିଆ ଭାବେ ମିଲରଙ୍କୁ ଶାଗମାଛ ଦରରେ ଧାନ ବିକ୍ରି କରି ଅଭାବି ବିକ୍ରିର ଶିକାର ହେଉଛନ୍ତି ।

ଗତ ଲଘୁଚାପ ଜନିତ ବର୍ଷାରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ହଜାର ହଜାର ହେକ୍ଟର ଧାନ ଓ ପନିପରିବା ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା । ଏବେ ଯାହା ଅଳ୍ପ କିଛି ବଂଚିଯାଇଥିଲା ତାକୁ ନଷ୍ଟ କରିବାକୁ ଆସିଛି ଆଉ ଏକ ଲଘୁଚାପ । ଜମିରେ ଧାନ ସବୁ ପାଚି ଲହଡି ଭାଙ୍ଗୁଥିବା ବେଳେ ପାଣିପାଗ ବିଭାଗର ବର୍ଷା ଆକଳନ ଚାଷୀକୂଳକୁ ଦୋହଲେଇ ଦେଇଛି । ଗତ ଲଗାଣବର୍ଷା ଯୋଗୁଁ ଏବେ ବି ବିଲରେ ପାଣି ଜମି ରହିଛି । ଫଳରେ ପାଚିଲା ଧାନ ଅମଳ କରିବା ସମ୍ଭବ ହୋଇପାରୁନାହିଁ । ଠିପ ଜମିରେ ପାଣି ଛାଡ଼ି ଯାଇଥିବାରୁ ଚାଷୀ ତରବରିଆ ଭାବରେ ଧାନ ଅମଳ କରୁଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ବର୍ଷା ଦାଉରୁ କିପରି ଫସଲ ରକ୍ଷା କରାଯାଇପାରିବ ସେବାବଦରେ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ସଚେତନ କରାଯାଉଛି ।

ପୁଣି ଆସୁଛି ବର୍ଷା । ବର୍ଷା ନେଇ ସୂଚନା ମିଳିବା ପରେ ଜମିରୁ ପାଚିଲା ଧାନକୁ କାଟି ଖଳାକୁ ଆଣୁଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଂଚଳର ଚାଷୀ । ବଙ୍ଗୋପସାଗର ଉପକୂଳରେ ଥିବା ରାଜନଗରରେ ଅଧିକ ବର୍ଷାର ଆଶଙ୍କା ରହଛି । ଧାନ ଥୋଡ ବାହାରୁଥିବା ବେଳେ ବର୍ଷା ଫସଲ ନଷ୍ଟ କରିଥିଲା । ଏବେ ପୁଣି ବର୍ଷା ନେଇ ସତର୍କ ସୂଚନା ଜାରି ହେବା ପରେ ଚିନ୍ତାରେ ପଡିଛନ୍ତି ବ୍ଲକର ୨୯ଟି ପଂଚାୟତର ଚାଷୀ ।

ବର୍ଷା ଆଶଙ୍କାରେ ଛାନିଆ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ଚାଷୀ । ଲଘୁଚାପ ବର୍ଷା ଅସ୍ତରଙ୍ଗର ଚାଷକୁ ପ୍ରଭାବିତ କରିବା ନେଇ ଆଶଙ୍କା କରି ଜିଲ୍ଲାପାଳଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନା ମିଟିଂ ସରିବା ପରେ ଚାଷୀର ନିଦ ହଜିଯାଇଛି । ବର୍ଷା ନେଇ ଡାକବାଜି ଯନ୍ତ୍ରୀ ଯୋଗେ ଚାଷୀଙ୍କୁ ସଚେତନ କରାଯିବା ପରେ ଜମିରୁ ଧାନ କାଟିବାଲେ ଲାଗିଛି ଚଷାପୁଅ । ଧାନକୁ ଜମିରୁ କାଟି ଜମି ହିଡରେ ବାହିଆ କରି ପଲିଥିନ୍ ଘୋଡେଇ ରଖିବା ପାଇଁ ଚେଷ୍ଟା କରୁଛି ଚାଷୀ । କିଛି ଧାନ କଟା ସରିଥିବା ବେଳେ ଆଉ କେତେର ଜମିରେ ଏବେ ବି ଧାନ ଗଛ ଠିଆ ହୋଇରହିଛି । ବର୍ଷା ପବନ ହେଲେ ସେଗୁଡିକ ଧାନ ଜମିରେ ଶୋଇଯିବାର ଆଶଙ୍କା ରହିଛି ।