ଫେଲ୍ ମାରୁଛି ସରକାରଙ୍କ ଆଳୁମିଶନ : ହେଲେ ପରିଶ୍ରମରେ ଫଳ ପାଇଲେ ଆଧୁନିକ ଚାଷୀ, ବିନା ହଳରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ ଅମଳ କରୁଛନ୍ତି ସୁଟବୁଟରେ ଚାଷୀ

1,129

କନକ ବ୍ୟୁରୋ : ମାସେ ତଳେ ଆପଣ ଆଳୁ କିଲୋପିଛା ୪୦ ଟଙ୍କା ଦେଇ କିଣୁଥିଲେ । ଏବେ ବି ଆମର ଆଳୁ ଆବଶ୍ୟକତା ପାଇଁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି । ହେଲେ ଏହାରି ଭିତରେ ଆଳୁ ଚାଷର ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ହଜାର ହଜାର ବେକାର ଯୁବକ, ଯୁବତୀଙ୍କ ଆଖି ଖୋଲିଦେବ । ବିନା ହଳରେ ବି କେମିତି କ୍ୱିଂଟାଲ କ୍ୱିଂଟାଲ ଆଳୁ ଅମଳ କରୁଛନ୍ତି ଜଣେ ଯୁବ ଚାଷୀ ।

ଦେହରେ ଜାକେଟ୍, ଗୋଡ଼ରେ ବୁଟ୍ । ପୁରା ଟିପ୍ ଟପ୍ ଢ଼ଙ୍ଗରେ ବିଲରେ କାମ କରୁଥିବା ଏହି ଚାଷୀ ଜଣକ ହେଉଛନ୍ତି ନିମାପଡା ରେସିଙ୍ଗା ଗାଁର ସଂଗ୍ରାମ କେଶରୀ ପାତ୍ର । କ୍ଷେତରେ ହଳ ନକରି ଜିରୋ ଟିଲ୍ ପଦ୍ଧତିରେ ଚାଷ କରି ଗୋଟିଏ ଗୁଣ୍ଠ ଜମିରୁ ଅମଳ କରୁଛନ୍ତି ସାଢେ ୩ କ୍ୱିଂଟାଲରୁ ଅଧିକ ଆଳୁ । କ୍ଷେତରେ ହଳ ନକରି କେବଳ ଧାଡି ଧାଡି କରି ମାଟି ଉପରେ ଆଳୁ ବିହନ କରି ଚାଷ କରୁଛନ୍ତି । ଆଉ ଏଥିରେ ଆବଶ୍ୟକ ପରିମାଣର ସାରଖତ ଦେଉଛନ୍ତି । ଚାଷର ଏହି କୌଶଳକୁ ଜିରୋ ଟିଲ୍ ପଦ୍ଧତି ବୋଲି କୁହାଯାଉଛି ।

ଜିରୋ ଟିଲ୍ ପଦ୍ଧତିରେ, ପ୍ରଥମେ ପଡ଼ିଆ ଜମି ବା ହଳ ହୋଇନଥିବା ଜମିରେ ଧାଡ଼ି ଧାଡ଼ି କରି ମାଟି ଉପରେ ଆଳୁ ବିହନ ରଖି ତାଉପରେ ଆବଶ୍ୟକ ପରିମାଣ ଖତ ଦିଆଯାଇଥାଏ । ଖତରେ ବିହନକୁ ଘୋଡ଼ାଇ ଦେବା ପରେ ପରିବର୍ତ୍ତୀ ସମୟରେ ଜମିକୁ କୁଟା ବା ନଡ଼ା ଦ୍ୱାରା ଘୋଡ଼ାଇ ଦିଆଯାଇଥାଏ । କୁଟା ଘୋଡ଼ାଇବା ଦ୍ୱାରା ଜମି ଦୀର୍ଘ ଦିନ ଧରି ଓଦାଳିଆ ରହୁଥିବାରୁ ଜଳସେଚନର ଆବଶ୍ୟକ ପଡ଼ିନଥାଏ । କୁଟା ଦ୍ୱାରା ପଡ଼ିଆ ଜମିରେ ଅନାବନା ଘାସକୁ ନିୟନ୍ତ୍ରଣ କରାଯିବା ସହିତ ୫୦ ଦିନରେ ଆଳୁ ଅମଳ ହୋଇଥାଏ ।

ସଂଗ୍ରାମଠାରୁ ପ୍ରେରଣା ପାଇ ସ୍ଥାନୀୟ ଅଂଳଳର ଅନ୍ୟ ଚାଷୀମାନେ ମଧ୍ୟ ‘ଜିରୋ ଟିଲ୍’ ପଦ୍ଧତିରେ ଚାଷ କରିବା ପାଇଁ ଏବେ ଆଗ୍ରହ ପ୍ରକାଶ କରୁଛନ୍ତି । ସଂଗ୍ରାମ କେବଳ ଯେ, ଅନ୍ୟ ଚାଷୀଙ୍କୁ ପ୍ରେରଣା ଯୋଗାଉଛନ୍ତି ତାହା ନୁହେଁ, ଚାଷ ପ୍ରତି ବିମୁଖ ହେଉଥିବା ଚାଷୀଙ୍କୁ ଆଳୁ ଚାଷ ପ୍ରତି ଆକର୍ଷିତ କରିପାରିଛନ୍ତି ।