ଚାଷ ଜମି ଜାଳି ଦେଉଛନ୍ତି ଚାଷୀ ! କାହିଁକି ଉଜୁଡ଼ି ଯାଉଛି ଶହ ଶହ ଏକର ଜମି ?

ପୋକ ଲାଗି ଫସଲ ନଷ୍ଟ ହୋଇଯିବାରୁ ହତାଶ ହୋଇ ନିଜ ଜମିରେ ନିଆଁ ଲଗାଇ ଦେଇଛି ଚାଷୀ ।

161

କନକ ବ୍ୟୁରୋ: ରାଜ୍ୟରେ ଏବେ ଚାଷୀ କୂଳ ହତାଶ । ଜଳି ଯାଉଛି ଶହ ଶହ ଏକର ଜମି । କଳାହାଣ୍ଡି, ବରଗଡ଼, କୋରାପୁଟ, ସମ୍ବଲପୁର, ରାୟଗଡ଼ା ଭଳି ଅନେକ ଜିଲ୍ଲାରେ ଏବେ ଚାଷ ଜମିରେ ଲାଗୁଛି ନିଆଁ । ଆଉ ଚାଷ ଜମି ଜାଳିଦେଉଛନ୍ତି ଚାଷୀ । ପୋକ ଲାଗି ଫସଲ ନଷ୍ଟ ହୋଇଯିବାରୁ ହତାଶ ହୋଇ ନିଜ ଜମିରେ ନିଆଁ ଲଗାଇ ଦେଇଛି ଚାଷୀ । ଗତକାଲି କୋରାପୁଟ ଜିଲ୍ଲାରେ ପୁଣି ଚକଡ଼ା ଉଜାଡ଼ି ଦେଇଛି ଫସଲ। ଚାଷୀ ଏଭଳି କ୍ଷତିଗ୍ରସ୍ତ ହୋଇଛନ୍ତି ଯେ, ଅମଳ କରିବା ପରିବର୍ତେ ଫସଲରେ ନିଆଁ ଲଗାଇ ପାଉଁଶ କରି ଦେଇଛନ୍ତି। ବ୍ଲକର ଫୁଫୁଗାଁ, ଡଙ୍ଗରପାଉଁଶି, ଶୁଣ୍ଡିଗୁଡା ଓ ଯୁଡାପାତ୍ରପୁଟ ଗାଁର ପ୍ରାୟ ୧୫୦ ଏକର ଜମିରେ ଚାଷୀ ନିଆଁ ଲଗାଇ ପ୍ରତିବାଦ ଜଣାଇଛନ୍ତି।

ସେହିଭଳି ଗତ କିଛିଦିନ ତଳେ ବରଗଡ କଳାପାଣି ପଂଚାୟତରେ ଏକର ଏକର ଜମିରେ ଚାଷୀ ନିଆଁ ଲଗାଇଦେଇଥିବା ଘଟଣା ସମ୍ନାକୁ ଆସିଥିଲା । ପୂର୍ବରୁ ଜମିରେ ଚକଡା ପୋକ ଲାଗି ଫସଲ ନଷ୍ଟ ହୋଇଯାଇଥିଲା। ଜୀବନ ଓ ଜୀବିକା ପାଇଁ ଦୁଇ ଦୁଇ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ ମାନେ । ଗତ ୪ତାରିଖରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ । ତେବେ କଳାପାଣି ଅଂଚଳର ଚାଷୀ ସାଂଘାତିକ ଅଭିଯୋଗ କରିଛନ୍ତି । ସରକାରଙ୍କ ଦ୍ୱାରା ବିକ୍ରି କରାଯାଉଥିବା ପୋକମରା ଔଷଧ ନିମ୍ନମାନର ବୋଲି ଚାଷୀ ମାନେ କହିଛନ୍ତି । ଏକର ଜମିରେ ଏକ ଲିଟର ଔଷଧ ପକା ଯାଇଥାଏ । କିନ୍ତୁ ସରକାର ଦେଉଥିବା ଔଷଧ ଏକ ଲିଟର ପକାଇଲେ ବି ଫସଲରେ ପୋକ ଲାଗୁଥିଲେ । ତେବେ ଚାଷୀଙ୍କ ଦାବି ପ୍ରତି କେହି କର୍ଣ୍ଣପାତ ନକରିବାରୁ ବାଧ୍ୟହୋଇ ଏପରି କଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ଚକଡ଼ା ପୋକ ଯୋଗୁଁ ରାଜ୍ୟରେ ଏବେ ଚାଷୀକୂଳ ହତାଶ । ସେପଟେ କୃଷି ବିଭାଗ ନକଲି କୀଟନାଶକ ବେପାରୀଙ୍କ ସହ ହାତ ମିଳାଇଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଫସଲକୁ ଗୁଣ୍ଡିପୋକ ଓ ଚକଡ଼ା ଦାଉରୁ ସୁରକ୍ଷିତ ରଖିବା ପାଇଁ ରୋଗ ପ୍ରତିରୋଧ ଭେରାଇଟର କୀଟନାଶକ ଅଛି କିନ୍ତୁ ରାଜ୍ୟ ସରକାର ଚାଷୀଙ୍କୁ ଏହି କୀଟନାଶକ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ସେହିପରି କଂଗ୍ରେସର ଅଭିଯୋଗ, ୨୦୦୦ ମସିହାରୁ ଏଯାବତ୍ ଏସପିଟିଏଲ ପକ୍ଷରୁ ପରୀକ୍ଷାରେ ଧରାପଡ଼ିବା ପରେ କୃଷି ବିଭାଗ ପକ୍ଷରୁ ନକଲି କୀଟନାଶକ ବିକୁଥିବା କମ୍ପାନୀ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାସହ ତାମିଲନାଡୁରେ ଫସଲ ରୋଗ ଓ କୀଟନାଶକ ପରୀକ୍ଷା ପାଇଁ ୧୫ଟି ଓ ଆନ୍ଧ୍ରପ୍ରଦେଶରେ ୭ଟି ଏସପିଟିଏଲ ଥିବାବେଳେ ଓଡ଼ିଶାରେ ମାତ୍ର ଗୋଟିଏ କାହାଁକି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।