ଲୁଣି ପାଣି ଉଜାଡି ଦେଲା ୬୦ ଏକର ଫସଲ ! ଭୁଲ କାହାର, କାହିଁକି ଚାଷୀ ହେବ ହନ୍ତସନ୍ତ

27

କନକ ବ୍ୟୁରୋ :  ଚାଷୀଙ୍କୁ ପ୍ରୋତ୍ସାହାନ ପାଇଁ ସରକାର ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଚାଷ ଜମିରେ ଲୁଣି ପାଣି ମାଡିଯାଇଛି । ଫଳରେ ଏକର ଏକର ଚାଷ ଜମିରେ ଚାଷ ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କାମ ଆରମ୍ଭ କରିଥିବା ଚାଷୀଙ୍କୁ ଏବେ କ୍ଷତିପୂରଣ କିଏ ଦେବ ସେ ନେଇ ପ୍ରଶ୍ନ ଉଠିଛି ।

ଚାଷ ଜମିରେ ମାଡିଯାଇଛି ଲୁଣପାଣି । ୬୦ ଏକରରୁ ଅଧିକ ଜମିରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବାଲେଶ୍ୱର ସଦର ବ୍ଲକ ହିଂଜିଳୀ ଗାଁ ବନ୍ୟାପ୍ରବଣ ଅଂଚଳ ହୋଇଥିବାରୁ ଏଠାରେ ଚାଷ କରିବା କଷ୍ଟକର । ଚାଷ ପାଇଁ ପାଣିର ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି ପରେ ସରକାର ୨୫ ଲକ୍ଷ ୮୩ ହଜାର ଟଙ୍କାରେ ଉଠା ଜଳସେଚନ ପ୍ରକଳ୍ପ କରିଛନ୍ତି । କିନ୍ତୁ ପ୍ରକଳ୍ପରୁ ଲୁଣ ପାଣି ବାହରିବା ଯୋଗୁଁ ଧାନ ଗଛ ସବୁ ମରି ନଷ୍ଟ ହୋଇଯାଇଛି ।

ସେଚ ଜଳ ପାଇବା ପରେ ଚାଷୀ ଧାର କରଜ କରି ଚାଷ ଆରମ୍ଭ କରିଥିଲେ । କିନ୍ତୁ ଧାନ ଗଛ ସବୁ ମରିଯିବାରୁ ଚାଷୀ ହତାଶ ହୋଇପଡିଛି । ଏହି ଅଂଚଳରେ ୧୨୦ ଫୁଟ ପର୍ଯ୍ୟନ୍ତ ଲୁଣ ପାଣି ରହିଛି । ତେବେ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହି ପ୍ରକଳ୍ପ ଫେଲ ମାରିଛି ବୋଲି କହିଛନ୍ତି ଚାଷୀ ।