କୀଟନାଶକ ନେଲା ୨୦ ଚାଷୀଙ୍କ ଜୀବନ! ୭୦୦ରୁ ଅଧିକ ଗୁରୁତର, ଦୃଷ୍ଟିଶକ୍ତି ହରାଇଲେ ଅନେକ ଚାଷୀ

75

ମହାରାଷ୍ଟ୍ରରେ ଚାଷୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି । ୟବାତମଲରେ ଚାଷ ଜମିରେ ବିଷାକ୍ତ କୀଟନାଶକ ସିଞ୍ଚନ କରିବା ବେଳେ ଏହାକୁ ଶୁଙ୍ଘିବା ଦ୍ୱାରା ୨୦ ଜଣ ଚାଷୀଙ୍କ ମୃତ୍ୟୁ ହୋଇ ସାରିଲାଣି । ପ୍ରାୟ ୭୦୦ରୁ ଅଧିକ ଚାଷୀ ଏବେ ଗୁରୁତର ଭାବେ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଗତ ଏକ ମାସ ହେଲାଣି ଏଭଳି ଦୁର୍ଦ୍ଦଶାରେ ଅଛନ୍ତି ଚାଷୀ । କପାଚାଷ ପାଇଁ ଦରକାର ପଡୁଥିବା ଏକ କୀଟନାଶକ ସିଞ୍ଚନ ବେଳେ ଏହା ସଂସ୍ପର୍ଶରେ ଆସି ଚାଷୀ ମାନେ ମୃତ୍ୟୁମୁଖରେ ପଡୁଛନ୍ତି ।

NAGPURକୃଷକ ନେତା ଦେବେନ୍ଦ୍ର ପାୱାରଙ୍କ କହିବା ଅନୁଯାୟୀ, ଚାଷ ଜମିରେ କୀଟନାଶକ ସିଞ୍ଚନବେଳେ ଏଭଳି ଅଘଟଣ ଘଟୁଛି । ଏହା ସସ୍ପଂର୍ଶରେ ଆସି ୨୦ ଜଣଙ୍କର ମୃତ୍ୟୁ ହେବା ସହ ୭୦୦ରୁ ଅଧିକ ଚାଷୀ ଗୁରୁତର ଭାବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏପରିକି କିଛି ଚାଷୀ ଏହି କୀଟନାଶକ ସଂସ୍ପର୍ଶରେ ଆସି ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି । କିନ୍ତୁ ଏତେ ବଡ ଘଟଣା ଘଟିବା ପରେ ମଧ୍ୟ ସରକାର ଚୁପ ବସିଛନ୍ତି । କେବଳ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରି ହାତରେ ହାତ ବାନ୍ଧି ବସିଛନ୍ତି । ବାରମ୍ବାର ଏହି ଘଟଣାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ସରକାରଙ୍କ ବିରୋଧରେ ଆମେ କୋର୍ଟ ଯିବାକୁ ନିଷ୍ପତି ନେଇଛ ।

ସେପଟେ ବସନ୍ତରାଓ ନାଏକ ଶେତି ସ୍ୱାବଲମ୍ବନ ମିଶନର ଚେୟାରମ୍ୟାନଙ୍କ କହିବା ଅନୁଯାୟୀ, ଚାଷୀ ମାନେ କ୍ଷେତରେ କୀଟନାଶକ ସିଞ୍ଚନ ବେଳେ ଆବଶ୍ୟକୀୟ ନିୟମ ପାଳନ କରୁ ନାହାନ୍ତି । ସାଧାରଣତଃ କୀଟନାଶକ ସିଞ୍ଚନ କଲା ବେଳେ ମୁହଁରେ ମାସ୍କ ପିନ୍ଧିବା ଆବଶ୍ୟକ । ଏପରିକି ଖରାରେ କିମ୍ବା ଗରମରେ କୀଟନାଶକ ପକାଇବା ଉଚିତ ନୁହେଁ । କିନ୍ତୁ ଏସବୁକୁ ଖାତିର ନକରି ଚାଷୀ ମାନେ ବିନା ମାସ୍କରେ ଖରାରେ କୀଟନାଶକ ସିଞ୍ଚନ କରୁଛନ୍ତି । ଯାହା ତାଙ୍କ ପାଇଁ ପ୍ରାଣଘାତକ ସାବ୍ୟସ୍ତ ହେଉଛି । ତେଣୁ କୀଟନାଶକ ସିଞ୍ଚନ ବେଳେ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

fadnavisତେବେ ଏହି ଘଟଣା ପରେ ଗୃହ ବିଭାଗର ସହକାରୀ ମୁଖ୍ୟ ସଚିବଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ । ଏ ଘଟଣାକୁ କାହିଁକି ଗୋପନ ରଖା ଯାଇଥିଲା ସେ ସଂକ୍ରାନ୍ତରେ ଏକ ଏସିଏସ୍ ତଦନ୍ତ କରାଯିବ ବୋଲି କହିଛନ୍ତି ଫଡନବୀସ। ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିଲା ଏବଂ ଡାକ୍ତରଖାନାରେ ଏଥି ଯୋଗୁଁ ଅସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏ ବାବଦରେ ଉଚ୍ଚସ୍ତରୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇ ନ ଥିଲା। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହିଁ ଏ ପ୍ରସଙ୍ଗ ଆଲୋଚ୍ୟ ବିଷୟ ପାଲଟିଥିଲା । ଯାହା ଚାଷୀଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ ସ୍ପଷ୍ଟ ଦର୍ଶାଉଥିଲା ।