ସତ ଫାଙ୍କିଲେ ସରକାର ! କହିଥିଲେ ସ୍ୱାମୀ-ସ୍ତ୍ରୀ ଝଗଡ଼ାରୁ ଆତ୍ମହତ୍ୟା କରିଥିଲେ ଚାଷୀ

30

କନକ ବ୍ୟୁରୋ : ବିଧାନସଭାରେ ସତ ଫାଙ୍କିଦେଲେ ସରକାର । ବରଗଡରେ ଚାଷୀ ଆତ୍ମହତ୍ୟାକୁ ପାରିବାରିକ କଳହର ରୂପ ଦେବାକୁ ନେଇ ଉଠିଛି ପ୍ରଶ୍ନ । କାହିଁକି ଆତ୍ମହତ୍ୟା କଲେ ହାଡୁ ବଗର୍ତି ଓରଫ ଖଏନୁ । ଏନେଇ ଅନୁସନ୍ଧାନ କରିବାକୁ କେନ୍ଦପାଲି ଗାଁରେ ପହଂଚିଥିଲା କନକ ନ୍ୟୁଜ ଟିମ୍ । ଆଉ ମୃତ ଖଏନୁଙ୍କ ପରିବାର କ୍ୟାମେରା ସାମ୍ନାରେ ଯେଉଁ ତଥ୍ୟ ରଖିଛନ୍ତି ତାହା ସରକାରଙ୍କ ସଫେଇର ବିରୁଦ୍ଧାଚରଣ କରୁଛି । ଖଏନୁଙ୍କ ପତ୍ନୀ ଓ ପିଲା କହିଛନ୍ତି, କେବଳ ଜମି କାଗଜପତ୍ର ଦେଖି ଫେରିଯାଇଥିଲେ ତଦନ୍ତକାରୀ ଅଧିକାରୀ । ଆଉ ରିପୋର୍ଟ ଲେଖିଦେଇଛନ୍ତି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା ।

ଜମିରେ ସାର ପକାଇବାକୁ ନେଇ ହାଡୁ ବଗର୍ତି ଓରଫ ଖଏନୁ ଓ ତାଙ୍କ ପତ୍ନୀଙ୍କ ଭିତରେ ଝଗଡା ହୋଇଥିଲା । ପାରିବାରିକ କଳହରୁ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ଖଏନୁ । ବରଗଡ ଜିଲ୍ଲାପାଳ ଦେଇଥିବା ରିପୋର୍ଟ ଆଧାରରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ।

ସ୍ଥାନୀୟ ଲୋକେ ଓ ସରପଂଚ ଯେଉଁ ତଥ୍ୟ ଦେଇଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତଦନ୍ତ ପାଇଁ ଆସିଥିବା ପ୍ରାଶାସନିକ ଅଧିକାରୀ କେବଳ ଜମିଜମା କାଗଜପତ୍ର ଯାଂଚ କରିଥିଲେ । ଉଜୁଡି ଯାଇଥିବା ଖଏନୁଙ୍କ କ୍ଷେତ ବି ଦେଖିଥିଲେ । ବିଜୁଳି ନଆସିବାରୁ ସୁନାର ଫସଲ ଉଜୁଡି ଯାଇଥିବା ତଦନ୍ତ ଆଧିକାରୀଙ୍କ ଆଗରେ କହିଥିଲେ ଗାଁ ଲୋକେ । ହେଲେ ସରକାରଙ୍କୁ ଯେଉଁ ରିପୋର୍ଟ ଦିଆଗଲା ସେଥିରେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା କିଭଳି ଉଲ୍ଲେଖ କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ତେବେ ହାତ ଉଧାରୀ ୪୦ ହଜାର ଓ ସୋସାଇଟିରୁ ୧୮ ହଜାର ଟଙ୍କା ଲୋନ ଆଣିଥିଲେ ଖଏନୁ । ଉଜୁଡି ଯାଉଥିବା ଚାଷକୁ ଦେଖି ଚାପରେ ଥିଲେ, ଆଉ ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା କଲେ । ହେଲେ ଏସତ୍ୟକୁ ସ୍ୱୀକାର କରିବା ପାଇଁ ନାରାଜ ସରକାର । ଠିକ ଯେମିତି ଗତବର୍ଷ ହୋଇଥିବା ପ୍ରାୟ ଦେଢଶହ ଚାଷୀ ଆତ୍ମହତ୍ୟାକୁ ଅସ୍ୱୀକାର କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-