ପଶୁ ମଣିଷର ଅଜବ ଭଲପାଇବା ! ଗାଈକୁ ବଞ୍ଚାଇବା ପାଇଁ ପ୍ରାଣ ହାରିଲେ ଚାଷୀ, ସେପଟେ ମାଲିକକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା କୁକୁର ।

60

ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ସର୍ବଦା ଅତୁଟ ରହିଛି । ସେ ଗାଇ ହେଉ ଅବା କୁକୁର, ଦୁହେଁ ସର୍ବଦା ମଣିଷ ପ୍ରତି ବିଶ୍ୱାସଯୋଗ୍ୟ ହୋଇ ରହିଥାନ୍ତି ଏବଂ ମଣିଷ ମଧ୍ୟ ଏମାନଙ୍କୁ ଖୁବ ଭଲ ପାଇଥାଏ । ଆଜିକାଲି ଘରେ ଘରେ କୁକୁର ଏବଂ ଗାଇ ଲୋକେ ପାଳୁଥିବାର ଦେଖିବାକୁ ମିଳିଯାଏ । ତେବେ ଏଥି ମଧ୍ୟରେ ବେଳେ ବେଳେ ଏପରି ଘଟଣା ଦେଖିବାକୁ ମିଳିଥାଏ ଯାହା ପଶୁମାନଙ୍କ ପ୍ରତି ଥିବା ଭଲପାଇବାକୁ ବଢାଇ ଦେଇଥାଏ । ଏହି ଭଲପାଇବା ନେଇ କେତେବେଳେ ମଣିଷ ତାର ଗୃହପାଳିତ ପଶୁକୁ ବଞ୍ଚାଇବାକୁ ଯାଇ ତାର ଜୀବନ ଦେଇଥାଏ ତ ଆଉ କେବେ ପଶୁଟିଏ ତାର ମାଲିକକୁ ବଞ୍ଚାଇବାକୁ ପ୍ରାଣ ହରାଇଥାଏ । ଠିକ ସେହିଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି କଲକୋଣ୍ଡାପଟି ଗାଁରେ । ଗାଇକୁ ବଞ୍ଚାଇବାକୁ ଯାଇ କୃଷକ କରେଣ୍ଟ୍ ସଂସ୍ପର୍ଶରେ ଆସିଯାଇଥିଲା । ମାଳିକକୁ କରେଣ୍ଟ୍ ଲାଗିବା ଦେଖି ପୋଷା କୁକୁର ମଧ୍ୟ ମାଲିକକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ବିଧିର ବିଧାନ ଚାହୁଁଥିଲା ଆଉ କିଛି । ଏହି ଦୁର୍ଘଟଣାରେ ଗାଇ ସମେତ ଚାଲିଯାଇଛି ମାଲିକ ଏବଂ ପୋଷା କୁକୁରର ଜୀବନ ।

ସୂଚନା ମୁତାବକ, ଗତ ସୋମବାର ଗାଁରେ ଯୋରଦାର ଝଡ ବର୍ଷା ହୋଇଥିବା କାରଣରୁ ବିଲରେ ଥିବା ଏକ ଇଲେକ୍ଟ୍ରିକ୍ ତାର ଛିଡି ତଳେ ପଡିଥିଲା । ଗତ ମଙ୍ଗଳବାର ସକାଳୁ କୃଷକ ତାର ଗାଇକୁ ଘାସ ଚରାଇବା ପାଇଁ ବିଲକୁ ନେଇଥିଲେ । ପୂର୍ବରୁ ଛିଡିପଡିଥିବା ତାରକୁ କୃଷକ ନଦେଖି ଗାଇକୁ ଚରାଇବା ପାଇଁ ସେଠାକୁ ଛାଡିଦେଇଥିଲେ । ଘାସ ଚରୁଥିବା ସମୟରେ ଗାଇଁ ଛିଡିପଡିଥିବା ବିଦ୍ୟୁ ତାରରେ ଗୁଡାଇ ହୋଇଯାଇଥିଲା । ତାରରେ କରେଣ୍ଟ ଥିବା କାରଣରୁ ଗାଇର ସେଠାରେ ମୃତ୍ୟୁ ହୋଇଥିଲା । ତେବେ ଗାଇକୁ ବଞ୍ଚାଇବାକୁ ଯାଇ କୃଷକ ନିଜେ ବିଦ୍ୟୁତ ତାରରେ ଛନ୍ଦି ହୋଇଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ କୃଷକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ ଏହି ସମ୍ପୁର୍ଣ୍ଣ ଘଟଣାରେ କୃଷକର ପୋଷା କୁକୁର ମଧ୍ୟ ମାଲିକକୁ କରେଣ୍ଟରୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଛି । ଏହି ଘଟଣା ଘଟିବା ପରେ ଗାଁ ଲୋକେ ପୋଲିସ ଖବର କରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ କାଟ୍ କରି ଶବ ଗୁଡିକୁ ଉଦ୍ଧାର କରିଛି ।