ଚାଷୀ କିଏ, କାହାକୁ ମିଳିବ ପେନସନ?

୩୬ ଲକ୍ଷ ପରିବାରକୁ ପେନସନ ଦେବାକୁ ଦାବି କଲା ନବନିର୍ମାଣ କୃଷକ ସଙ୍ଗଠନ

134

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନର ପେନସନ୍ ଦାବି ଓଡ଼ିଶାରେ ଏକ ନୂଆ ବିତର୍କ ସୃଷ୍ଟି କରିଛି । ପ୍ରକୃତ ଚାଷୀ କିଏ ସେନେଇ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ସ୍ଥିର ନଥିବା ବେଳେ କାହାକୁ ପେନସନ୍ ମିଳିବ ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ଏପଟେ ୩୬ ଲକ୍ଷ ପରିବାରକୁ ପେନସନ୍ ଦେବା ସପକ୍ଷରେ ଯୁକ୍ତି ରଖିଛି ନବ ନିର୍ମାଣ କୃଷକ ସଂଗଠନ । ଏପଟେ କୃଷକ ସଂଗଠନର ପେନସନ୍ ଦାବିକୁ ସମର୍ଥନ କରିଛି କଂଗ୍ରେସ ।

କାହାକୁ ମିଳିବ ପେନ୍ସନ? ଯେତେବେଳେ ପ୍ରକୃତ ଚାଷୀ କିଏ ଏବଂ ଭାଗ ଚାଷୀ କିଏ, ତାହା ନିର୍ଦ୍ଧିଷ୍ଟ ଭାବରେ ସ୍ଥିର ହୋଇପାରିନାହିଁ ସେତିକିବେଳେ ଏମିତି କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଉ ସରକାର ଯଦି ପେନସନ୍ ବା ଭତା ଦେବା ପାଇଁ ନିଷ୍ପତି ଦିଅନ୍ତି, କାହାକୁ ଦେବେ ଏବଂ କେମିତି ଦେବେ ।

ପ୍ରାଇସ୍, ପ୍ରେସଷ୍ଟିଜ୍ ଓ ପେନସନ୍ ଦାବିକୁ ନେଇ ଆଜି ଯେତେବେଳେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବା ପାଇଁ ନିଷ୍ପତି ନେଇଛି । ଠିକ୍ ଏତିକି ବେଳେ କେଉଁ ଚାଷୀ ପେନସନ୍ ପାଇବାର ଅସଲ ହକ୍ଦାର ତାହା ନିର୍ଣ୍ଣୟ ହେବା ହୁଏତ ବହୁତ ଜରୁରୀ । ଆଉ ଏସବୁ ଭିତରେ ରାଜ୍ୟରେ କେତେ ପରିବାର ଚାଷୀଙ୍କୁ ପେନସନ୍ ଦିଆଯିବା କଥା ଏବଂ କେତେ ଟଙ୍କା ଖର୍ଚ୍ଚ ହେବ ତାକୁ ନେଇ ଏକ ନିଜସ୍ୱ ତଥ୍ୟ ରଖିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ।

ଏପଟେ ଭୁବନେଶ୍ୱରରେ ଚାଷୀଙ୍କ ରଣହୁଙ୍କାର ସମସ୍ତଙ୍କୁ ତାଜୁବ୍ କରିଦେଇଛି । ଆଉ ରାଜ୍ୟ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଆଉ ଏହି କମିଟି ଚାଷୀଙ୍କ ସମସ୍ୟା ସଂପର୍କରେ ବିସ୍ତୃତ ଭାବରେ ରିପୋର୍ଟ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ ।  ଆଜି ଯେତେବେଳେ ସାରା ଦୁନିଆରେ ୟୁନିଭର୍ସାଲ ବେସିକ୍ ଇନକମ୍ ବା ଚଳିବା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ସରକାର ବହନ କରିବା ଉଚିତ ବୋଲି ଯୁକ୍ତି ହେଉଛି, ସେତିକି ବେଳେ ହୁଏତ ଚାଷୀଙ୍କ ପେନସନ୍ ଦାବିକୁ ସରକାର ମାନି ନେବାର କୌଣସି ଅସୁବିଧା ନାହିଁ । ହେଲେ ଏଥି ପାଇଁ ପ୍ରକୃତ ଚାଷୀ କିଏ ତାହା ଜାଣିବା ନିତାନ୍ତ ଜରୁରୀ ।