ବ୍ୟାପିଲା ବରଗଡ ନିଆଁ ! ସମ୍ବଲପୁର ଓ ଝାରସୁଗୁଡ଼ାରେ ଧାନ ବିଲରେ ନିଆଁ ଲଗାଇଲେ ଚାଷୀ

22

କନକ ବ୍ୟୁରୋ : ଜଳସେଚନର ଅଭାବ ଓ ସରକାରଙ୍କ ଅସହଯୋଗ ଯୋଗୁଁ ଋଣ ଗ୍ରସ୍ତ ପଶ୍ଚିମ ଓଡ଼ିଶାର ଚାଷୀ ମାନେ ଚାଷ ପ୍ରତି ବିତୃଷ୍ଣା ଭାବ ଦେଖା ଯାଉଛନ୍ତି । ପୋକ ଲାଗିବାରୁ ବରଗଡ଼ ଜିଲ୍ଲାର କଳାପାଣି ଗ୍ରାମରେ ମଙ୍ଗଳବାର ବୃନ୍ଦା ସାହୁ ନାମକ ଜଣେ ଚାଷୀ ନିଜ ଧାନ ବିଲରେ ନିଅାଁ ଲଗାଇବା ପରେ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ବରଗଡ଼ ଜିଲ୍ଳାରେ ଋଣ ଗ୍ରସ୍ତ ଚାଷୀ ବିଲରେ ନିଆଁ ଲଗାଇଥିବା ବେଳେ ପଡୋଶୀ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବୁଧବାର ଚାଷୀମାନେ ସେମାନଙ୍କ ଫସଲରେ ନିଆଁ ସଂଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ଖୁଦପାଲି ଗ୍ରାମର ଚାଷୀ ସତ୍ୟାନନ୍ଦ ସେଠ୍ ନିଜ ଧାନ ବିଲରେ ନିଆଁ ଲଗାଇଛନ୍ତି । ଚକଡ଼ା ପୋକ ପ୍ରଭାବରେ ଫସଲ ନଷ୍ଟ ହେବାରୁ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା । ବିଲରେ ଲାଗିଥିବା ରୋଗକୁ ଠିକ କରିବାକୁ ସତ୍ୟାନନ୍ଦ କୌଣସି ଉପାୟ ଅଥବା ସରକାରୀ ସହାୟତା ପାଇ ନ ଥିଲେ ।

ସେହିପରି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳର ଅଏଁଲପଡା ଗ୍ରାମରେ ଜଣେ ଚାଷୀ ଧାନ ଚାଷ କରିଥିବା ନିଜର ବିଲରେ ନିଆଁ ଲଗାଇଛନ୍ତି । ରୋଗ ଓ ପୋକର ପ୍ରଭାବରେ ଫସଲ ଉଜୁଡ଼ି ଯାଇଥିବା ବେଳେ ମନ ଦୁଃଖରେ ଦିନ କାଟୁଥିବା ଚାଷୀ ଡିଲେଶ୍ୱର ପ୍ରଧାନ ଅନ୍ୟ ଉପାୟ ନ ପାଇ ଶେଷରେ ବିଲରେ ନିଆଁ ଲଗାଇଛନ୍ତି । ସେ ୫ଏକର ବିଲରେ ଧାନ ଚାଷ କରିଥିଲେ । ଏଥିରୁ ୨ଏକର ଜମିରେ ଚକଡ଼ା ପୋକ ଯୋଗୁଁ ଫସଲ ସମ୍ପୁର୍ଣ୍ଣ ରୂପେ କ୍ଷତି ହୋଇ ଯାଇଥିଲା ।