ବରଦାସ୍ତ ହେଉନି ଧାନର ଅଭାବୀ ବିକ୍ରି ! ସମିତି ସଭାପତିକୁ ଗଛରେ ବାନ୍ଧି ମାଡ଼ ମାରିଲେ ଉତ୍ୟକ୍ତ ଚାଷୀ

219

କନକ ବ୍ୟୁରୋ : ମଣ୍ଡିକୁ ଟାର୍ଗେଟ ଆସୁନି । ସମିତି ଧାନ କିଣିବାକୁ ନା କହୁଛି। ଫଳରେ ଚାଷୀ ହତାଶ ହୋଇ ଧାନ ଘରେ ପକାଇ ରଖୁଛି, ନଚେତ୍ ଲାଭଖୋର ଦଲାଲଙ୍କୁ ସ୍ୱଳ୍ପ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛି । ହେଲେ ଏ କଥାଟା ସହଜରେ ଗ୍ରହଣ କରିପାରିନାହାନ୍ତି ଚାଷୀ । ପରିସ୍ଥିତି ବରଦାସ୍ତ ବାହାରକୁ ଚାଲିଯାଇଛି। ଫଳରେ ସେମାନେ ସମିତିର କର୍ମଚାରୀଙ୍କୁ ଅଟକ ରଖିବା ସହ ସଭାପତିଙ୍କୁ ଗଛରେ ବାନ୍ଧି ପକାଇ ମାଡ଼ ମାରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ପଞ୍ଚାୟତ ଆଳଦା ସେବା ସମବାୟ ସମିତିରେ ।

ସୂଚନା ଅନୁସାରେ ଆଳଦା ସେବା ସମବାୟ ସମିତିରେ ଚଳିତ ବର୍ଷ ୩୮୫ ଜଣ ଚାଷୀ ଅନ୍‌ଲାଇନରେ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଥିଲେ । ସମିତିକୁ ୧୮ ହଜାର କ୍ୟୁଣ୍ଟାଲ୍‌ ଧାନ କିଣିବା ପାଇଁ ଟାର୍ଗେଟ୍‌ ଦିଆଯାଇଥିଲା । ଡିସେମ୍ବର ମାସ ୨୫ ତାରିଖ ଦିନ ଧାନମଣ୍ଡି ଉଦ୍‌ଘାଟନ ହେଲା । ପ୍ରଥମ ପର୍ଯ୍ୟାୟରେ ୧୫ ଶହ ଓ ଦ୍ୱିତୀୟ ପର‌୍ୟ୍ୟାୟରେ ୩ ହଜାର କ୍ୟୁଣ୍ଟାଲ୍‌ ଧାନ କ୍ରୟ ଟାର୍ଗେଟ ରହିଥିଲା। ହେଲେ କିଛିଦିନ ପରେ କୁହାଗଲା, ଧାନ କିଣିବା ପାଇଁ ସମିତିରେ ଟାର୍ଗେଟ୍‌ ପୂରା ହୋଇଯାଇଛି । ସମିତି ଆଉ ଧାନ କିଣିବ ନାହିଁ ।

ଫଳରେ ଗତ ୧୫ ଦିନ ହେବ ଅନେକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ଏପରି ସମୟରେ ଆଜି ସକାଳେ ଧାନ ବିକ୍ରି କରିପାରିନଥିବା ରମଧା ଗ୍ରାମର ଚାଷୀ ସମିତିରେ ପହଂଚିଥିଲେ । କର୍ମଚାରୀ କମଳାକାନ୍ତ ଦାସ ଓ ସତ୍ୟରଞ୍ଜନ ଜେନାଙ୍କୁ ନୂଆ ଟାର୍ଗେଟ୍‌ ଆସିଲା କି ନାହିଁ ବୋଲି ପଚାରିଥିଲେ । ସନ୍ତୋଷଜନକ ଉତ୍ତର ନ ପାଇବାରୁ ଚାଷୀମାନେ ଉଭୟଙ୍କୁ ସମିତି ଗୃହ ଭିତରେ ଅଟକ ରଖିବା ସହ ତାଲା ପକାଇ ଧାରଣା ଦେଇଥିଲେ । ଏହି ସମୟରେ ଘଟଣା ବାବଦରେ ବୁଝିବାକୁ ଆସିଥିବା ସମିତି ସଭାପତି ଲଷ୍ମୀକାନ୍ତ ଜେନାଙ୍କ ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ଉତ୍ତ୍ୟକ୍ତ ଚାଷୀ ତାଙ୍କୁ ଏକ ଗଛରେ ଦୁଇଘଣ୍ଟା କାଳ ବାନ୍ଧି ରଖି ମାଡ଼ ମାରିଥିଲେ। ପରେ ଗ୍ରାମବାସୀ ସମିତିରେ ପହଂଚି ଚାଷୀମାନଙ୍କୁ ବୁଝାସୁଝା କରିବା ସହ ବନ୍ଧା ଥିବା ସଭାପତି ଶ୍ରୀ ଜେନା ଏବଂ ଅଟକ ଥିବା କର୍ମଚାରୀ ଶ୍ରୀ ଦାସ ଓ ଶ୍ରୀ ଜେନାଙ୍କୁ ମୁକୁଳାଇଥିଲେ।