ଫର୍ମାଲିନ୍ ଭୟ ଯୋଗୁଁ ସାରା ରାଜ୍ୟରେ ମାଛ ବିକ୍ରି ହ୍ରାସ : ମାଛ କିଣିବା ପାଇଁ ଡରୁଛନ୍ତି ଗ୍ରାହକ

36

କନକ ବ୍ୟୁରୋ : ଫର୍ମାଲିନ୍‌ ଭୟ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ମାଛ ବିକ୍ରି ହ୍ରାସ ପାଇଛି । କେବଳ ବିକ୍ରି ନୁହେଁ, ଗ୍ରାହକମାନେ ମଧ୍ୟ ମୁହଁ ମୋଡ଼ିବା ଆରମ୍ଭ କରିଛନ୍ତି । ରାଜ୍ୟର କେତେକ ସ୍ଥାନରୁ  ଖବର ଅନୂଯାୟୀ, ବ୍ରହ୍ମପୁରରେ ପ୍ରାୟ ୫୦% ମାଛ ବିକ୍ରି କମିଛି । ଆମିଷ ବାରକୁ ଦେଖି ବ୍ରହ୍ମପୁର ସହରକୁ ଆନ୍ଧ୍ରରୁ ନିୟମିତ ୩-୪ ଟ୍ରକ୍‌ ଲେଖାଏଁ ମାଛ ଆମଦାନୀ ହେଉଥିଲା । ପ୍ରତି ଟ୍ରକ୍‌ରେ ୫ଟନ୍‌ ଲେଖାଏଁ ୧୫ରୁ ୨୦ଟନ୍‌ ମାଛ ଆସୁଥିଲା । କିନ୍ତୁ ଆନ୍ଧ୍ର ମାଛରେ କ୍ଷତିକାର ‘ଫର୍ମାଲିନ୍‌’ ଥିବାରୁ ଆସାମରେ ଏହା ଉପରେ ନିଷେଧାଦେଶ ଜାରି କରାଯାଇଥିବା ନେଇ ଖବର ପ୍ରସାରିତ ହେବା ପରେ ଆମଦାନୀ କମିବାରେ ଲାଗିଥିଲା । କୋରାପୁଟ ଜିଲ୍ଲାରେ ମାଛ ବ୍ୟବସାୟ ପ୍ରାୟ ୭୫ ପ୍ରତିଶତ କମି ଯାଇଛି । ଆକଳନ ଅନୁସାରେ କୋରାପୁଟରେ ପୂର୍ବରୁ ସପ୍ତାହକୁ ୨୦ଟନ ମାଛ ବିକ୍ରି ହେଉଥିଲା ବେଳେ ଏବେ ୫ଟନରୁ ବି କମ ମାଛ ବିକ୍ରି ହେଉଛି ।

କେନ୍ଦୁଝର ସହରରେ ପୂର୍ବରୁ ମୋଟ ୪୦ କୁଇଣ୍ଟାଲ ମାଛ ବିକ୍ରି ହେଉଥିବାବେଳେ ଏବେ ୫ରୁ ୭ କୁଇଣ୍ଟାଲ ମାଛ ବିକ୍ରି ହେଉଥିବର ହସ୍ତଗତ ତଥ୍ୟରୁ ଜଣାପଡ଼ିଛି । କଟକ ସହରକୁ ପୂର୍ବରୁ ସପ୍ତାହକୁ ତିନି ଦିନ, ଦିନକୁ ହାରାହାରି ୧୨ ଟ୍ରକ୍‌ ମାଛ ଆମଦାନୀ ହେଉଥିବା ବେଳେ ଏବେ ଆମଦାନୀ ପରିମାଣ ୫ ଟ୍ରକ୍‌କୁ ଖସି ଆସିଛି । ନଈରେ ପାଣି ଆସିଥିବାରୁ ନରାଜ, ମୁଣ୍ଡଳୀ ଓ ଯୋବ୍ରା ଆନିକଟ ମାଛ ଏବେ କଟକ ସହରବାସୀଙ୍କୁ ଚାହିଦା ମେଣ୍ଟାଉଛି । ଏଭଳି ସ୍ଥିତିରେ କିନ୍ତୁ ମହାନଦୀ ମାଛର ଦର କିଲୋ ପିଛା ଶହେ ଟଙ୍କା ଅଧିକରେ ବିକ୍ରି ହେଉଛି ।

bbsr fish market
image courtesy-https://www.telegraphindia.com

ମାଛ ବ୍ୟବସାୟୀଙ୍କ କହିବା ଅନୁଯାୟୀ ଗଲା ପ୍ରାୟ ସାତ ଦିନ ଭିତରେ କଟକରେ ମାଛ ବ୍ୟବସାୟ ୬୦ ପ୍ରତିଶତ ହ୍ରାସ ପାଇଛି । ଆନ୍ଧ୍ରରୁ ଆସୁଥିବା ରୋହୀ, ଭାକୁର ମାଛକୁ ତ ଲୋକ ନେଉ ନାହାନ୍ତି, ଏବେ ଭୟରେ ଚିଙ୍ଗୁଡ଼ି ବି ଲୋକ ଖାଉ ନାହାନ୍ତି । ପାମ୍ପଲେଟ୍ ଓ ଇଲିସି ମାଛ କଟକ ବଜାରରେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । କଟକ ଖାନନଗର ମାଛ ମଣ୍ଡିର ଲକି ଫିସ୍‌ ଏଜେନ୍ସି ମାଲିକ ଈଶ୍ୱର ଚନ୍ଦ୍ର ତରାଇ କହିବା ଅନୁଯାୟୀ ମଣ୍ଡିକୁ ସପ୍ତାହର ମଙ୍ଗଳ, ଗୁରୁ ଓ ଶନିବାର ରାତିରେ ହାରାହାରି ଭାବେ ବିଭିନ୍ନ ସ୍ଥାନରୁ ୧୨ ଟ୍ରକ୍‌ ଅର୍ଥାତ ୭ ଟନ୍‌ ମାଛ ଆସେ । କିନ୍ତୁ ସପ୍ତାହେ ହେଲା ଏହା ୪/୫ ଟ୍ରକ୍‌କୁ ଅର୍ଥାତ ୨ ଟନ୍‌କୁ ହ୍ରାସ ପାଇଛି ।

bbsr fish market
image courtesy-https://www.telegraphindia.com

 

 

ଚାଉଳିଆଗଂଜର ମାଛ ବ୍ୟବସାୟୀ ନାରାୟଣ ମଲ୍ଲିକ କହିବା ଅନୁଯାୟୀ ଏବେ ନଈରେ ପାଣି ଥିବାରୁ ଯୋବ୍ରା, ନରାଜ ଓ ମୁଣ୍ଡଳୀରେ ଭଲ ମାଛ ପଡ଼ୁଛନ୍ତି । କିନ୍ତୁ ସେହି ମାଛ କିଲୋ ହାରାହାରି ଭାବେ ଶହେ ଟଙ୍କା ଅଧିକରେ ବିକ୍ରି ହେଉଛି । ମହାନଦୀରୁ ପଡ଼ୁଥିବା ରୋହୀ, ଭାକୁର, ମିରକାଳୀ ଗୋଟା କିଲୋ ପିଛା ୩ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେହି ମାଛ କଟା କିଲୋ ୩୫୦ ଟଙ୍କାରେ ବିକ୍ରି ହେଉଛି । କଳାବଇଁଶୀ ପାଖାପାଖି ୨୫୦ ଟଙ୍କା ଏବଂ ପୋହଳା ୨ଶହରୁ ୨୪୦ ଟଙ୍କା କିଲୋରେ ବିକ୍ରି ହେଉଛି । ଚିଙ୍ଗୁଡ଼ି ବି ଲୋକ ନେଉ ନଥିବାରୁ ଏବେ କିଲୋ ପ୍ରାୟ ଶହେ ଟଙ୍କା କମ୍‌ରେ ବିକ୍ରି ହେଉଛି ।