ବିମୁଦ୍ରାୟନକୁ ବଳି ଗଲାଣି ବାତ୍ୟା ପରର ସ୍ଥିତି : ଓଡ଼ିଶା ଆପଣେଇବ କେରଳ ମଡେଲ୍, ସରଳ ଆବେଦନ ପତ୍ର ଜରିଆରେ କ୍ଲେମ୍ କରାଯାଇପାରିବ ଇନସ୍ୟୁରାନ୍ସ

136

କନକ ବ୍ୟୁରୋ : ବାତ୍ୟା ପ୍ରଭାବିତ ଅଂଚଳରେ ଭୁଶୁଡି ପଡିଥିବା ବ୍ୟାଙ୍କିଙ୍ଗ୍ ଓ ଇନ୍ସ୍ୟୁରାନ୍ସ କ୍ଷେତ୍ରକୁ ସଜାଡିବା ଲାଗି ଓଡ଼ିଶା ଆପଣେଇବ କେରଳ ମଡେଲ । ଫଳରେ ସରଳ ଆବେଦନ ପତ୍ର ଜରିଆରେ ଇନସ୍ୟୁରାନ୍ସ କ୍ଲେମ କରାଯାଇପାରିବ । କୋହଳ ସୁଧହାରରେ ଋଣ ମିଳିପାରିବ । ସେପଟେ କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ୧୯୯୨ ବ୍ୟାଙ୍କରୁ ୧୯୩୪ଟି କାମ କରୁଥିବା କୁହାଯାଉଥିଲେ ବି ସ୍ୱାଭାବିକ ହୋଇପାରିନି ସ୍ଥିତି । ସେପଟେ ଅନେକ ସ୍ଥାନରେ ଏଟିଏମ୍ ମଧ୍ୟ କାମ କରୁନାହିଁ ।

ବାତ୍ୟା ଫୋନିକୁ ଦୁଇ ସପ୍ତାହ ହୋଇଥିଲେ ବି ଏବେ ବି ସୁଧୁରିନାହିଁ ଏଟିଏମ୍ ଅବସ୍ଥା । ପୁରୀର ଅବସ୍ଥା ଶୋଚନୀୟ ଥିବା ବେଳେ ଭୁବନେଶ୍ୱରରେ ବି କାମ କରୁନାହିଁ ଅନେକ ଏଟିଏମ୍ । ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି, ହେଲେ ସ୍ୱାଭାବିକ ହୋଇ ପାରିନାହିଁ ସ୍ଥିତି ।

ପ୍ରଭାବିତ ହୋଇଥିବା ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ଓଡିଶା ଆପଣେଇବ କେରଳ ମଡେଲ । ବ୍ୟାଙ୍କର୍ସ, ଇନସ୍ୟୁରାନ୍ସ ଓ ଟେଲିକମ କମ୍ପାନୀ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ ଏ ନେଇ ଆଲୋଚନା କରିଛନ୍ତି । କେରଳ ମଡେଲ ଆପଣେଇଲେ ଅଧିକ କାଗଜପତ୍ର ଦରକାର ପଡିବନି । ସରଳ ଆବେଦନ ପତ୍ର ଜରିଆରେ ଇନସ୍ୟୁରାନ୍ସ କ୍ଲେମ କରାଯାଇପାରିବ । ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ଦିଆଯିବ । ସୁଧହାରକୁ ମଧ୍ୟ କୋହଳ କରାଯିବ ।

ଦୁଇଦିନ ଭିତରେ ଗ୍ରାହକଙ୍କୁ ଇନସ୍ୟୁରାନ୍ସ ଟଙ୍କା ଦେବାକୁ ଦିଆଯାଇଛି ନିର୍ଦ୍ଦେଶ । ଆନ୍ଧ୍ରରୁ ଇନସ୍ୟୁରାନ୍ସ ସର୍ଭେ କରିବାକୁ ଅଧିକାରୀମାନେ ଆସିଛନ୍ତି । ସେହିଭଳି ଏମଏସଏମଇ ଓ ଫସଲ ବୀମା କ୍ଷେତ୍ରରେ ଋଣ ଦେବା ସର୍ତକୁ କୋହଳ କରାଯିବା ଲାଗି ନିଷ୍ପତି ହୋଇଛି ।