ଯୋଗ୍ୟକୁ ମିଳିଲାନି, ଅଯୋଗ୍ୟ ହିତାଧିକାରୀ ମାଲେମାଲ । ସତ୍ୟବାଦୀରେ ଫନି ସହାୟତା ପାଇଁ ବିଡିଓଙ୍କୁ ଘେରିଲେ ଗ୍ରାମବାସୀ ।

313

କନକ ବ୍ୟୁରୋ : ଆଜି ସତ୍ୟବାଦୀରେ ବିଡିଓଙ୍କୁ ହଟହଟା ହେବାକୁ ପଡିଛି । ବାତ୍ୟା ଫନିକୁ ବର୍ଷେ ହେବାକୁ ବସିଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ଏଯାଏ ସହାୟତା ମିଳିନାହିଁ । ଏପରିକି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟଙ୍କୁ ମିଳିସାରିଛି ଗୃହ ନିର୍ମାଣ ଟଙ୍କା । ଏହାକୁ ନେଇ ଆଜି ବିଡିଓଙ୍କୁ ଘେରିଥିଲେ ଉତ୍ୟକ୍ତ ଲୋକେ । ଏହାରିଭିତରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନାରେ ଘର ବଂଟନରେ ଅନିୟମିତା ଅଭିଯୋଗ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେପି ସାଂସଦ ।

ଫନି ବାତ୍ୟାକୁ ବର୍ଷେ ହେବାକୁ ବସିଲାଣି, ହେଲେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ମିଳିପାରିନି ଫନି ସହାୟତା । ଏଭଳି କି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଗୃହ ନିର୍ମାଣ ଟଙ୍କା । ଏଭଳି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରୁ । ଆଉ ଏହାକୁ ନେଇ ସତ୍ୟବାଦୀ ବିଡିଓଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଛି ।

ଆଉ ଏପଟେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନାରେ ଘର ବଂଟନରେ ଅନିୟମିତା ଅଭିଯୋଗ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେପି ସାଂସଦ । କେନ୍ଦ୍ର ନିୟମାବଳୀ ଅନୁସାରେ ରାଜ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଉ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟନ ମାମଲାର ତଦନ୍ତ ହେଉ ବୋଲି କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସଂ ତୋମାରଙ୍କୁ ଜଣାଇଛନ୍ତି ରାଜ୍ୟ ବିଜେପି ସାଂସଦ ।

ତେବେ ବଡ଼ କଥା ହେଉଛି, ସତ୍ୟବାଦୀରେ ଯେଉଁ ସବୁ ଅଭିଯୋଗ ଆସିଛି, ସେଥିରୁ ଅନେକ ଲୋକଙ୍କ ପକ୍କାଘର ରହିଛି, ଏମିତି କି କିଛି ଲୋକଙ୍କ ବାତ୍ୟାରେ ପ୍ରଭାବିତ ହୋଇନଥିବା ମଧ୍ୟ ଅଭିଯୋଗ ହୋଇଛି ।