ମିହିର ଓ ଅନୁଙ୍କ ପରେ ପଦ୍ମ ପୋଖରୀକୁ ଡେଇଁଲେ ମହାଶ୍ୱେତା ! ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବେ ପ୍ରଖ୍ୟାତ ଅଭିନେତ୍ରୀ ମହାଶ୍ୱେତା ରାୟ

82

କନକ ବ୍ୟୁରୋ: ମିହିର ଦାସ ଓ ଅନୁ ଚୌଧୁରୀଙ୍କ ପରେ ବିଜେପିରେ ସାମିଲ ହେବେ ପ୍ରଖ୍ୟାତ ଅଭିନେତ୍ରୀ ମହାଶ୍ୱେତା ରାୟ । ଆଜି ଦିନ ୧୧ଟାରେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ଯୋଗଦେବେ । ରାଜନୀତି ପ୍ରତି ତାଙ୍କର ପିଲାଦିନୁ ରୁଚି ରହିଥିବା କିନ୍ତୁ ଅଭିନୟ କ୍ଷେତ୍ରକୁ ଆସିବାର ଅନେକ ଦିନ ପରେ ତାଙ୍କୁ ଏହି ସୁ ଯୋଗ ମିଳିଲା ବୋଲି କହିଛନ୍ତି ମହାଶ୍ୱେତା ।

ଖାଲି ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିତ୍ୱ ତଥା ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଶାମିଲ ହେଉଛନ୍ତି ବୋଲି ପ୍ରକାଶ ମଧ୍ୟ କରିଛନ୍ତି । ଏଥାପାଇଁ ତାଙ୍କୁ ବହୁତ ଥର ଭାବିବାକୁ ପଡିଛି ବୋଲି ସେ କହିଛନ୍ତି । ନବୀନଙ୍କ ଉପରେ ମତ ରଖି ମହାଶ୍ୱେତା କହିଛନ୍ତି କି, ବିଜୁ ଓ ନବୀନଙ୍କ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ନବୀନ ଶାସନରେ ଆଜି ନାରୀ ଅସୁରକ୍ଷିତ ଏବଂ ଅବହେଳିତ ବୋଲି ସେ ମତ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶା ପଲିଟିକ୍ସର ସେତିକି ପାଖେଇ ଆସୁଛି ଓଲିଉଡ୍ । ନିକଟରେ ଦୁଇ ଲୋକପ୍ରିୟ ସିନେଷ୍ଟାର ମିହିର ଦାସ ଓ ଅନୁ ଚୋଧୁରୀ ମିଶିଛନ୍ତି ବିଜେପିରେ । ଅବଶ୍ୟ ୨୦୧୪ ନିର୍ବାଚନ ବେଳେ ମିହିର ଦାସ ଯୋଗ ଦେଇଥିଲେ ବିଜେଡିରେ । ତେବେ ବିଜେଡିରେ ତାଙ୍କ କ୍ୟାରିୟର ଅଧିକ ଆଗକୁ ଯାଇ ପାରିନଥିଲା ।

ବିଜେପିରେ ମିଶି ଲୋକଙ୍କ ପାଇଁ କାମ କରିବାକୁ ଆଗ୍ରହୀ ବୋଲି ମିହିର ଦାସ କହିଛନ୍ତି । ଏତେ ଦିନର ଶାସନ ପରେ ବି ଓଡିଶା ପଛୁଆ ରାଜ୍ୟ ହୋଇ ରହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏହା ସହ କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା କ୍ଷୋଭର ସହ କହିଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତା ।