ମନ୍ଦିରରେ ବୋହୁଛି ଘିଅର ନଦୀ ! ସୁନା ରୂପା ବଦଳରେ ଭକ୍ତ କରୁଛନ୍ତି ଘିଅ ଦାନ, ଜାଣନ୍ତୁ କେଉଁଠି ?

107

ଭଗବାନଙ୍କୁ ଭକ୍ତ ଦାନ ଦେବା କିଛି ନୂଆ କଥା ନୁହେଁ । ସୁନା, ରୂପା ଓ ଟଙ୍କା ଦାନ ଦେବାର ନଜିର ରହିଛି । କିନ୍ତୁ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭଗବାନଙ୍କ ନିକଟରେ ଘିଅ ଦାନ କରାଯାଇଥାଏ । ଏବଂ ଭକ୍ତ ମାନେ ମଧ୍ୟ ଏତେ ମାତ୍ରାରେ ଘିଅ ଦାନ କରିଥାନ୍ତି ଯେ, ଏଠାରେ ଘିଅ ନଦୀର ଭ୍ରମ ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ କିଛି ତଥ୍ୟ ।

ଗୁଜରାଟର ଗାନ୍ଧୀନଗରର ରୁପେଲ ଗ୍ରାମରେ ରହିଛି ଭରଦାୟନି ମାତାଙ୍କ ମନ୍ଦିର । ଏଠାରେ ନବରାତ୍ରୀରେ ଦେଖିବାକୁ ମିଳେ ଅଦ୍ଭୁତପୂର୍ବ ଭିଡ । ନବରାତ୍ରୀର ନବମୀ ଦିନ ଏଠାରେ ଏକ ବିଶେଷ ଉତ୍ସବ ପାଳନ ହୋଇଥାଏ । ଏହିଦିନ ପୂରା ମନ୍ଦିରରେ ଘିଅର ନଦୀ ବହିଥାଏ । ଭକ୍ତମାନେ ଶ୍ରଦ୍ଧାର ସହ ପୂରା ମନ୍ଦିରକୁ ଘିଅରେ ଧୋଇଥାନ୍ତି । ପୂରା ମନ୍ଦିର ପରିସରରେ କେବଳ ଘିଅ ଦେଖିବାକୁ ମିଳିଥାଏ ।

maxresdefaultଏହିଦିନ କାଠରେ ନିର୍ମିତ ଏକ ରଥକୁ ପୂରା ଗାଁରେ ବୁଲାଯାଇଥାଏ । ଏହି ରଥରେ ପାଞ୍ଚଟି ସ୍ଥାନରେ ଅଖଣ୍ଡ ଜ୍ୟୋତି ଜଳା ଯାଇଥାଏ । ପୌରାଣିକ କଥା ଅନୁଯାୟୀ, ଜଳୁଥିବା ଏହି ପାଞ୍ଚଟି ଜ୍ୟୋତିକୁ ପାଣ୍ଡବଙ୍କର ପ୍ରତୀକ ବୋଲି ଧରି ନିଆ ଯାଇଥାଏ । ଅଜ୍ଞାତବାସ ସମୟରେ ପାଣ୍ଡବ ମାନେ ଏହି ସ୍ଥାନରେ ନିଜର ଅସ୍ତ୍ରଶସ୍ତ୍ର ଲୁଚାଇଥିବାର ଲୋକକଥା ରହିଛି । ତେଣୁ ସେମାନଙ୍କୁ ମନେରଖିବା ପାଇଁ ସେହି ସମୟରୁ ଏହି ଉତ୍ସବ ପାଳନ କରାଯାଉଛି ।

ଅଜ୍ଞାତବାସ ଶେଷ କରିବା ପରେ ପାଣ୍ଡବ ମାନେ ଏହିଠାରେ ଦେବୀଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ସେବେଠାରୁ ଦେବୀ ମାତା ଏହିଠାରେ ପୂଜା ପାଇ ଆସୁଛନ୍ତି । ନବରାତ୍ରୀରେ ରଥ ଟଣା ହେବାବେଳେ ମାତାଙ୍କୁ ଦେଖିବା ପାଇଁ ଏତେ ଭିଡ ହୋଇଥାଏ ଯେ, ରଥଟି ମୁଖ୍ୟ ମନ୍ଦିର ନିକଟରେ ପହଞ୍ଚିବାକୁ ୧୦ ଘଣ୍ଟା ସମୟ ଲାଗିଥାଏ ।ରଥରେ ମାତାଙ୍କ ଦର୍ଶନ ସମୟରେ ଗାଁର ଲୋକମାନେ ସାମର୍ଥ୍ୟ ଅନୁସାରେ ଶୁଦ୍ଧ ଘିଅ ଚଢାଇଥାନ୍ତି । ରଥରେ ଘିଅ ଚଢାଇବା ପଛରେ ଆଉ ଏକ କାରଣ ମଧ୍ୟ ରହିଛି । ରଥ ତଳେ ସ୍ପର୍ଶ ନହେବା ପାଇଁ ଏପରି କରାଯାଇଥାଏ । କାରଣ ରଥ ତଳେ ସ୍ପର୍ଶ ହେଲେ ଏହାକୁ ଅଶୁଦ୍ଧ ବା ଅଶୁଭ ବୋଲି ମନେକରାଯାଏ । ତେଣୁ ଘିଅରେ ରଥ ଚାଲିଥାଏ । ୨୦୧୪ରେ ଭକ୍ତ ମାନେ ପ୍ରାୟ ୫.୫ ଲକ୍ଷ କିଲୋ ଘିଅ ମାତାଙ୍କୁ ଦାନ କରିଥିଲେ । ଯାହାର ହାରାହାରି ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ଆକଳନ କରାଯାଇଥିଲା ।