କରଜ ନେଲା ଜୀବନ ! ଟଙ୍କା ପାଇଁ ଧମକ ଦେଲା ମହାଜନ, ଟ୍ରେନ ଆଗକୁ ଡେଇଁ ପଡିଲେ ପୂରା ପରିବାର

80

କନକ ବ୍ୟୁରୋ : କିଏ ଜାଣିଥିଲା, ରାତିର ଘନ ଅନ୍ଧକାର ଭିତରେ ଏମିତି ଚିରନିନ୍ଦ୍ରାରେ ଶୋଇଯିବ ପୁରା ପରିବାର । କିଏ ଜାଣିଥିଲା ସକାଳର ଆଲୁଅ ଆସିବା ଆଗରୁ ଲିଭିଯିବ ଜୀବନ ଦୀପ । ହସଖୁସିର ଏହି ପରିବାର ଉପରେ ଲାଗିଯିବ ଦଇବର ଦାରୁଣ ନଜର । ଦାରିଦ୍ର୍ୟର ତାଡ଼ନା ଏତେ ଉଗ୍ର ହୋଇଗଲା ଯେ, ଲୌହ ଦାନବ ଆଗରେ ଠିଆ ହୋଇଗଲା ପୁରା ପରିବାର । ଭୋକ, ଦାରିଦ୍ର୍ୟ ଏବଂ ଜୀବନ କ’ଣ ବୁଝିନଥିବା ସାଢ଼େ ୩ବର୍ଷର ଝିଅ ଶ୍ରଦ୍ଧା ବି ବାପା-ମା ଏବଂ ଭଡ଼ ଭଉଣୀମାନଙ୍କ ସହ ଜୀବନ ଯୁଦ୍ଧରେ ହାରିଗଲା । କିଏ ଜାଣିଥିଲା, ହାତ ଯୋଡ଼ି ଖୁସିରେ ଖନେଇ ଖନେଇ କଥା ଶିଖୁଥିବା ଏଇ କୁନି ଝିଅ, ସବୁ ଦିନ ପାଇଁ ନିରବି ଯିବ ।

train-accident-dnaସମ୍ବଲପୁର ରୋଡ ଷ୍ଟେସନ୍ ନିକଟରେ ସଂଗୀତ ଶିକ୍ଷା ଦେଇ ୩ଝିଅଙ୍କୁ ନେଇ ବହୁ କଷ୍ଟରେ ଚଳୁଥିଲା ଧରଣୀଧର ଏବଂ ସଂଗୀତା ପଣ୍ଡାଙ୍କ ପରିବାର । ରୋଜଗାର କହିଲେ, ସଂଗୀତ ଶିକ୍ଷାରୁ ମିଳୁଥିବା କିଛି ଟଙ୍କା । କିନ୍ତୁ ପରିବାରରେ ଥିଲେ ୫ ଜଣ । ଅନନ୍ୟା ପଣ୍ଡା ଏବଂ ଅପରାଜିତା ପଣ୍ଡା, ଦୁଇ ଦୁଇଟି ବଢ଼ିଲା ଝିଅ । ପରିବାର ପ୍ରତିପୋଷଣ ପାଇଁ ଅନେକ ଲୋକଙ୍କଠାରୁ ବହୁ ଧାରକରଜ ବି କରିଥିଲେ । ସଂସାରର ଜଞ୍ଜାଳ ଏବଂ ଧାରକରଜ, ଅସମ୍ଭାଳ ହୋଇଗଲା ବୋଝ । ଆଉ କିଛି ଦିନ ତଳେ ଯେତେବେଳେ କିଛି ଲୋକ ଆସି ଟଙ୍କା ପାଇଁ ଗଣ୍ଡଗୋଳ କରିଥିଲେ, ଚରମ ପନ୍ଥା ବାଛି ନେବାକୁ ନିଷ୍ପତି ନେଇଥିଲେ ଧରଣୀଧର । ଆଉ ଡିଏମ୍ୟୁ ଆଗକୁ ଡେଇଁ ପଡ଼ିଲେ ପୁରା ପରିବାର ।

ଦାରିଦ୍ର୍ୟର କରୁଣ ରୂପ ଯେ ଏପରି ହେବ ତାହା କେବେ କେହି ବିଶ୍ୱାସ ମଧ୍ୟ କରିନଥିଲେ । ଟ୍ରେନ ଆଗରେ ଚାଲିଗଲା ପରିବାରର ୫ ସଦସ୍ୟଙ୍କ ଜୀବନ । ତେବେ ଗୋଟିଏ ପରିବାରର ସମୂହ ଆତ୍ମହତ୍ୟା ପଛରେ ଅର୍ଥାଭାବ ଥିଲା ନା’ ହତ୍ୟା ପଛରେ ଆଉ କ’ଣ କାରଣ ରହିଛି । ତାହା ଏବେ ତଦନ୍ତ ସାପେକ୍ଷ । ଆଉ ତଦନ୍ତ ପରେ ହିଁ ଉଠିବ ଏହି ରହସ୍ୟମୟ ମୃତ୍ୟୁ ଉପରୁ ପରଦା ।