ନରେନ୍ଦ୍ର ମୋଦିଙ୍କ ପରିବାର ନେଇ ଜାତୀୟ ଗଣମାଧ୍ୟମରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ! ପ୍ରଧାନମନ୍ତ୍ରୀ ହେଲା ପରେ ବି ମୋଦିଙ୍କ ପରିବାରର ହୋଇନାହିଁ ଉନ୍ନତି

40

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନରେ “ବଂଶବାଦ’’କୁ ବିଜେପି ଏକ ପ୍ରସଙ୍ଗ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବାର ନେଇ ଜାତୀୟ ଗଣମାଧ୍ୟମରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ନରେନ୍ଦ୍ର ମୋଦି ୧୩ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିବା ପରେ ୩ ବର୍ଷ ହେଲା ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ସୁଦ୍ଧା ତାଙ୍କ ପରିବାର ଲୋକଙ୍କ ଅବସ୍ଥାରେ ସେଭଳି ପରିବର୍ତ୍ତନ ହୋଇନାହିଁ । ନରେନ୍ଦ୍ର ମୋଦିଙ୍କ ବଡ଼ ଭାଇ ୭୫ ବର୍ଷୀୟ ଶମ୍ଭୁ ମୋଦି ବଡ଼ନଗରରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରି ସେଠାରେ ରହୁଛନ୍ତି । ୨୦୦୧ ଗୁଜରାଟରେ ଭୂମିକମ୍ପ ପରେ ଶମ୍ଭୁ ମୋଦି ଏହି ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ ଓ ତା ପରଠାରୁ ଏଠାରେ ରହିଆସୁଛନ୍ତି ।

ରକ୍ତ ଦାନ ଶିବିର, ସ୍ୱାସ୍ଥ୍ୟ ସେବା ଶିବିର ଇତ୍ୟାଦି ଆୟୋଜନ କରୁଛନ୍ତି । ୨୦୦୨ରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଭାଇର ଚଳଣିରେ ବିଶେଷ ଅଭିବୃଦ୍ଧି ହୋଇନାହିଁ । ପ୍ରଧାନମନ୍ତ୍ରୀଙ୍କ ଭାଇ ବୋଲି ତାଙ୍କୁ ସ୍ୱତନ୍ତ୍ର ଦୃଷ୍ଟିରେ ଦେଖିବାର କୌଣସି ଆବଶ୍ୟକତା ନାହିଁ ବୋଲି କହନ୍ତି ଶମ୍ଭୁ । ମୋଦିଙ୍କ ସବୁଠାରୁ ସାନ ଭାଇ ପଙ୍କଜ ଭାଇ ଗୁଜରାଟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗରେ ଜଣେ କିରାଣୀ ଭାବେ କାମ କରନ୍ତି । ତାଙ୍କ ପାଖରେ ମୋଦିଙ୍କ ମା’ ହୀରାବେନ୍ ରୁହନ୍ତି । ଅହମ୍ମଦାବାଦରେ ଅଶୋକଙ୍କ  ତିନି ବଖରିକିଆ ଘରକୁ ବେଳେବେଳେ ମୋଦି ଯାଇ ମା’ଙ୍କ ଆଶୀର୍ବାଦ ନିଅନ୍ତି । ମୋଦିଙ୍କ ଅନ୍ୟ ଜଣେ ବଡ଼ ଭାଇ ଅମୃତଭାଇ ଗୋଟିଏ ଘରୋଇ କମ୍ପାନୀରେ ଫିଟର ଭାବେ କାମ କରୁଥିଲେ । ୨୦୦୫ରେ ଅବସର ନେବା ପରେ ଏବେ ସେ ଅହମ୍ମଦାବାଦର ଘାଟିଓଦିଆ କଲୋନୀରେ ରହୁଛନ୍ତି ।

ମୋଦିଙ୍କ ପୁତୁରା ଅଶୋକ ଭାଇ ବଡ଼ନଗରର ଏକ ଆଶ୍ରମରେ ରୋଷେୟା ଭାବେ କାମ କରନ୍ତିି । ଅଶୋକଙ୍କ ପତ୍ନୀ ବିମଳାବେନ୍ ବାସନ କୁସନ ଧୁଅନ୍ତି । ଏଥିରୁ ଏହି ଦମ୍ପତି ମାସିକ ୪ରୁ ୫ ହଜାର ଟଙ୍କା ପାଆନ୍ତି । ଅଶୋକ ବିଭିନ୍ନ ପର୍ବପର୍ବାଣୀରେ ମେଳାରେ ଗୁଡ଼ି, ବାଣ ବିକନ୍ତି । ମୋଦିଙ୍କ ସାନ ଭଉଣୀ ବାସନ୍ତୀବେନଙ୍କ ସ୍ୱାମୀ ହଂସମୁଖ ଏଲ୍ଆଇସିରେ ଚାକିରି କରିଥିଲେ, ଆଉ ଏବେ ଅବସର ପରେ ବିଶନଗରରେ ଏକ ସାଧାରଣ ଘରେ ରହୁଛନ୍ତି । କ୍ଷମତାରେ ରହିବା ପରେ ଗାନ୍ଧୀ ଓ ଯାଦବ ପରିବାରର କିଭଳି ବିକାଶ ଘଟିଛି, ଓ ସେହି ପରିପ୍ରେକ୍ଷୀରେ ମୋଦିଙ୍କ ପରିବାରର ଭିନ୍ନତାକୁ ବିଜେପି ନିର୍ବାଚନ ପ୍ରଚାରରେ ଲଗାଉଛି ।